Unknown

 

 

 

 

 

 

 

 

 

ପ୍ରେମ ଚିନ୍ତାମଣି

କୁନ୍ତଳା କୁମାରୀ ସାବତ

 

ସୂଚୀପତ୍ର

 

୧.

ନବ ନୀରଦ

୨.

ନୀର ପାନ

୩.

ନିଜକଥା

୪.

ଶ୍ରୀକୃଷ୍ଣାର୍ପଣମସ୍ତୁ

୫.

ଚାତକିନୀ

୬.

ନବ ନୀରଦ

୭.

ନୀରପାନ

 

***

 

ମୁଖବନ୍ଧ

 

ଶ୍ରୀମତୀ କୁନ୍ତଳାକୁମାର ସ୍ୱକବିତ୍ୱ ବଳରେ ଉତ୍କଳରେ ପରିଚିତା । ଏହି ନାରୀ କବିଙ୍କ ଲେଖନୀ ସାଧନାବଳରେ କିପରି ସିନ୍ଧିର ଦିଗକୁ ଗତି କରିଅଛି, ତାହା କାବ୍ୟ ବିନୋଦୀ ମାତ୍ରେ ଅନୁଭବ କରିବେ । ‘ପ୍ରେମଚିନ୍ତାମଣି’ ସିଦ୍ଧ ଲେଖନୀପ୍ରସୂତ, ଏଥିରେ ଅତ୍ୟୁକ୍ତି ନାହିଁ । କବିଙ୍କର ପୂର୍ବତନ କୃତିମାନ ପାଠ କରି ବିସ୍ମୟର ସହିତ ଆନନ୍ଦ ଅନୁଭବ କରିଅଛି, ଏବଂ ଅନ୍ୟ ସାହିତ୍ୟସେବୀଙ୍କ ନିକଟରେ ତାଙ୍କ କୃତିତ୍ୱର ବିଷୟ ବହୁବାର ଖ୍ୟାପନ କରିଅଛି । ପ୍ରେମଚିନ୍ତାମଣି ଥରେ ନୁହେଁ, ଦୁଇ ଥର ନୁହେଁ, ବହୁବାର ଆମୂଳଚୂଳ ପାଠ କଲି, ଆନନ୍ଦରେ ବିଭୋଳ ହେଲି, ଉତ୍କଳର ନାରୀଶକ୍ତିର ଅସାମାନ୍ୟ ବିକାଶରେ ଗର୍ବ ଅନୁଭବ କଲି । ମାଧବୀ, ବୃନ୍ଦାବତୀ, ରାଣୀ ନିଶଙ୍କରାୟ ପ୍ରଭୃତି ପ୍ରାଚୀନ ନାରୀକବିମାନଙ୍କ କବିତ୍ୱ ସରଣୀ ଧରି ଆଧୁନିକ ଯୁଗରେ ମଧ୍ୟ କେତେକ ନାରୀ କବି ସୁକୁସୁମାଞ୍ଜଳିରେ ଦେବୀ ବୀଣାପାଣିଙ୍କର ଆରାଧନା କରୁଅଛନ୍ତି । ଏମାନଙ୍କ ମଧ୍ୟରେ ପ୍ରେମଚିନ୍ତାମଣିର କବି ଶ୍ରେଷ୍ଠ ଆସନ ଅଧିକାର କରିଅଛନ୍ତି ।

 

ପ୍ରାଚୀନ ଭିତ୍ତିରେ ନବୀନ ସୌଧ କରିବା ଏ କ୍ଷେତ୍ରରେ ଶ୍ରେୟସ୍କର । ପ୍ରାଚୀନକୁ ତୁଚ୍ଛ କରି ନବୀନକୁ ଗଣ୍ଠିଧନ କରିବା ବା ପ୍ରାଚୀନକୁ ଗଣ୍ଠିଧନ କରି ନବୀନ ପ୍ରତି ଚକ୍ଷୁ ମୁଦ୍ରିତ କରିବା ଅବିମୃଷ୍ୟକାରିତାର ଚିହ୍ନ । ଭାଷାର ସହଜ ଶକ୍ତି-ପ୍ରାଚୀନତା, ପାରମ୍ପାରିକ ଜୀବନ, ତା’ର ବ୍ୟଷ୍ଠି, ତା’ର ବିଶେଷତ୍ୱ । ବ୍ୟଷ୍ଟିରେ ସମଷ୍ଟିର ପ୍ରଭାବ ଓ ସମଷ୍ଟିରେ ବ୍ୟଷ୍ଟିର ପ୍ରଭାବ ଅନିବାର୍ଯ୍ୟ ।

 

ଉତ୍କଳ ସାହିତ୍ୟର ବ୍ୟଷ୍ଟି ହିଁ ତା’ର ବିଶେଷତ୍ୱ । ତା’ର ଭାଷା, ଭାଷାର ରୀତିର ପ୍ରସଙ୍ଗାନୁଯାୟୀ ବିଭିନ୍ନତା, ବିଭିନ୍ନତାରେ ଚାରୁତାର ବିଳାସ ଉତ୍କଳର ପ୍ରାଣୁ-ଅସ୍ଥିରକ୍ତ-ମାଂସାଦିଗଠିତ ଶରୀରର ଜୀବନୀଶକ୍ତିରୁ ନିଃସୃତ । ତା’ର ଭାବ, ଭାବର ଅବସ୍ଥା, ଅବସ୍ଥାର ବିବିଧ ବିକାଶ ଉତ୍କଳ ପ୍ରାଣର ଅବସ୍ଥିତିର ପରିଚାୟକ ଓ ବିଶେଷତ୍ୱର ପରିମାପକ । ଏହି ସମସ୍ତ ପ୍ରତିଚକ୍ଷୁ ମୁଦ୍ରିତ କରି ନବୋଦୟବତ୍‌ କାର୍ଯ୍ୟ କଲେ ଘୋର ବିପ୍ଲବ - ଜାତୀୟତାର ମ୍ରିୟମାଣତା- ଜାତୀୟ ପ୍ରାଣର ପ୍ରାୟୋପବେଶନ ।

 

ଅଭିମନ୍ୟୁ, ଭକ୍ତଚରଣଙ୍କ ପରବର୍ତ୍ତୀ ଊନବିଂଶ, ବିଂଶ ଶତାବ୍ଦୀର ଆଧୁନିକ ଲେଖକମାନଙ୍କ ମଧ୍ୟରେ ଅତି ଅଳ୍ପ କବି ଉତ୍କଳ ସାହିତ୍ୟ ତଥା ଭାଷାରେ ସହଜ ଶକ୍ତି ସଂରକ୍ଷଣ କରିପାରୁଥିବା ଭଳି କାବ୍ୟ ଲେଖିଅଛନ୍ତି । ଭାଷାର ସହଜ ଶକ୍ତିରେ ଭାବର କମନୀୟ ଅଭିବ୍ୟକ୍ତି ଜନିତ ମାଧୁର୍ଯ୍ୟ ଯେପରି ପ୍ରାଣରେ ସ୍ପନ୍ଦନ ଆଣେ ତାହା ଅନ୍ୟତ୍ର ବିରଳ । ଏହି ସହଜ ଶକ୍ତି ଅବିରକ୍ଷଣ ପ୍ରେମଚିନ୍ତାମଣିରେ ପରିଦୃଷ୍ଟ ହୁଏ । ପୂର୍ବବର୍ତ୍ତୀ ରାଧାକୃଷ୍ଣ ଲୀଳାତ୍ମକ କାବ୍ୟମାନ ପ୍ରାଚୀନ ରୀତିରେ ଆଦିରସର ଆତ୍ୟନ୍ତିକ ବିଶ୍ଲେଷଣ ବିଧିରେ ମୂର୍ଚ୍ଛିତ ହେତୁ ସର୍ବତୋଭାବେ ସର୍ବଜନାଦରଣୀୟ ହୋଇପାରୁନାହିଁ । ପ୍ରେମଚିନ୍ତାମଣିର ବିଶେଷତ୍ୱ -- ଏହା ଜନସାଧାରଣର ଗ୍ରହଣୋପଯୋଗୀ । କବିଙ୍କର ବୁଦ୍ଧିମତା, ଔଚତ୍ୟ ବିନିଯୋଗରେ କୁଶଳତା, ପାରମ୍ପାରିକ ଧର୍ମମତର ଅନୁଭୂତିମୂଳକ ଭାବନାର ପରିଣତି, ଦେଶୀୟ ଓ ବିଦେଶୀୟ ସାହିତ୍ୟଦର୍ଶିତା ଏକଧାରରେ କାର୍ଯ୍ୟକରି ଏହି ଗୀତିମୟୀ ନାଟିକା ପ୍ରେମଚିନ୍ତାମଣିକୁ ସର୍ବଜନହୃଦ୍ୟ କରିଅଛି ।

 

ପ୍ରେମଚିନ୍ତାମଣି ଏକ ପ୍ରେମର ସମୂର୍ଚ୍ଛିତା ଗୀତିମୟୀ ନାଟିକା । ନାୟକ କୃଷ୍ଣଙ୍କ ନାମ ‘ପ୍ରେମଚିନ୍ତାମଣି’ । ତାହାହିଁ ନାଟ୍ୟକର ନାମ । କବି ତାହାହିଁ ଶ୍ରୀମତୀଙ୍କ ମୁଖରେ କୁହାଇଅଛନ୍ତି ।

 

ସେ ଏକା ମୋ ଧନ

ସେ ଏକାମୋ ଧ୍ୟାନ

ଚିତ୍ତେ ‘ପ୍ରେମଚିନ୍ତାମଣି ।

 

କବି ଏହି ନାଟିକାର ପ୍ରାରମ୍ଭରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିର ପ୍ରଣାମ, କୁମାରୀମାନଙ୍କ ଦ୍ୱାରା କରାଇ ‘ଚିର ସୁନ୍ଦର ରାଜେ, ଚିର ରାଜେ ରେ’ କୁହାଇଅଛନ୍ତି । ପୁନଶ୍ଚ ତାହାର ପ୍ରତିଧ୍ୱନି ମଞ୍ଜୁଳା ମୁଖରେ

‘ମାନସମନ୍ଦିରେ ପ୍ରେମସୁନ୍ଦର, ପ୍ରେମ ସୁନ୍ଦରେ ରାଜେ ରେ ।

 

ଯେ ’ଚିର ସୁନ୍ଦର’ ସେ ‘ପ୍ରେମସୁନ୍ଦର’, ସେ ସେହି ଶ୍ରୀକୃଷ୍ଣ । ଶ୍ରୀକୃଷ୍ଣଙ୍କ ମୂର୍ତ୍ତିର କି ଅପୂର୍ବ ଲାବଣ୍ୟ, କି ଚିତ୍ତଚୋରା ମାଧୁରୀ, କି ନିତ୍ୟ ନୂତନତା, କି ସଚ୍ଚିଦାନନ୍ଦ ସାନ୍ଦ୍ରାଙ୍ଗତା, ଯାହାର ଦର୍ଶନରେ ଗୋପକନ୍ୟାଙ୍କ ହୃଦୟ ବିସ୍ମିତ, ଦ୍ରୁତ, ଉତ୍ତରଳ । ଆହା, ସେଇ ସୁମଧୁର ରୂପ ମଧୁର ରସର ଭକ୍ତିୟାପାଗଳ ବିଲ୍ୱମଙ୍ଗଳ ଗାଇଅଛନ୍ତି ---

 

ମଧୁରଂ ମଧୁରଂ ବପୁରସ୍ୟ ବିଭୋ ।

ମଧୁରଂ ମଧୁରଂ ବଦନଂ ମଧୁରମ୍‌ ।

ମଧୁଗନ୍ଧମୃଦୁସ୍ମିତ ମେତଦହୋ ।

ମଧୁରଂ ମଧୁରଂ ମଧୁରଂ ମଧୁରମ୍‌ ।।

 

ହୃଦୟର ଉତ୍ତରଳତା ଚିର ସୁନ୍ଦର ପ୍ରେମସୁନ୍ଦର କୃଷ୍ଣଚନ୍ଦ୍ରଙ୍କ ପ୍ରାପ୍ତି ନିମିତ୍ତ । ଗୋପକନ୍ୟାଙ୍କ ମଧ୍ୟରେ ପ୍ରେମମୟୀ ମହାଭାବବସ୍ତୁରୂପିଣୀ ରାଧାଙ୍କର କୃଷ୍ଣଙ୍କ ପ୍ରାପ୍ତି ନିମିତ୍ତ ଲାଳସା, ଉଦ୍‌ବେଗ, ବ୍ୟଗ୍ରତା, କେତେବେଳେ ଜଡ଼ତା ପୁଣି ବ୍ୟଗ୍ରତା, କେତେବେଳେ ମୋହ, ଉନ୍ମାଦ ପ୍ରଭୃତି ଦଶାମାନ ସ୍ଥାନେ ସ୍ଥାନେ ସୁନ୍ଦର ପରିପାଟୀର ସହିତ ବର୍ଣ୍ଣିତ ହୋଇଅଛି । ରାଧାଙ୍କର ପୂର୍ବଭାଗେ ଏହି ଦାଶାତ୍ମକ ବର୍ଣ୍ଣନା ଅତି ଚମତ୍‌କାର ପ୍ରତିପାଦକ ।

 

ସାଧାରଣତଃ ନାୟକର ନାୟିକାବିଷୟକ ଭାବ ବା ରାଗ ପ୍ରଥମରେ ପ୍ରକାଶ ପାଇବା ସମ୍ଭବପର । ନାୟିକାର ତାହା ନୁହେଁ, କାରଣ- ଲଜ୍ଜା, ଭୟ, ଧୈର୍ଯ୍ୟ, କୁଳାଚାର ପ୍ରଭୃତି ଆଚରଣ ହେତୁ ସହସା ପୁରୁଷଠାରେ ସ୍ତ୍ରୀର ପୂର୍ବରାଗ ପ୍ରକାଶ ପାଏ ନାହିଁ । ପୁରୁଷର ସେ ସବୁ ନ ଥିବା ହେତୁ ରାଗ ବା ଭାବର ଉଦୟମାତ୍ରେ ସେ ନାୟିକା ଅନ୍ୱେଷଣରେ ବ୍ରତୀ ହୁଏ । କିନ୍ତୁ ପ୍ରଥମାତଃ ସ୍ତ୍ରୀମାନଙ୍କର ପୂର୍ବରାଗ ବର୍ଣ୍ଣିତ ହେଲେ କାବ୍ୟର ଚାରୁତା ଅଧିକ ଭାବରେ ପ୍ରତିପାଦିତ ହୁଏ । ପ୍ରେମର ଆଧିକ୍ୟ ବା ପ୍ରାବଲ୍ୟରେ ଲଜ୍ଜା, ଭୟ, କୁଳାଚାର ପ୍ରତି ଜଳାଞ୍ଜଳି ପ୍ରଦତ୍ତ ହୁଏ । ଏବଂ ସେହି ସ୍ୱାଗତ ପ୍ରେମର ପ୍ରଥମ ଉପସ୍ଥାପନ ଓ ବର୍ଣ୍ଣନରେ ଔଚିତ୍ୟ ଅଛି । କାରଣ ପ୍ରେମର ସର୍ବତ୍ର ଜୟ । ସାହିତ୍ୟ ଦର୍ପଣକାର ମଧ୍ୟ କହିଛନ୍ତି ---

 

‘ଆଦୌ ରାଗ ସ୍ତ୍ରୀୟୋ ବାଚ୍ୟ

ପଶ୍ଚାତ୍‌ ଫୁସ୍‌ ସ୍ତଦିଙ୍ଗିତୈଃ ।

ଭକ୍ତିଶାସ୍ତ୍ର ଦୃଷ୍ଟିରେ – ଭକ୍ତି ହିଁ ରସ । ଭକ୍ତିରସ ଭକ୍ତିକୁ ଆଶ୍ରୟ କରେ । ଭଗବତ୍‌, ରସ ବା ରାଗ, ଭକ୍ତର ରସ ବା ରାଗର ପଶ୍ଚାତରେ ଜାତ ହୁଏ । ବ୍ରଜଦେବୀମାନେ ପରମ ଭକ୍ତିରୂପିଣୀ ହେତୁ ସେମାନଙ୍କର ପ୍ରଥମ ପୂର୍ବରାଗ ସମୀଚୀନ ଅଟେ।

 

ସତ୍ୟ, ଶିବ, ସୁନ୍ଦରୀଙ୍କର ପ୍ରାପ୍ତି ନିମିତ୍ତ କୁମାରୀଗଣଙ୍କର ସ୍ନିଗ୍‌ଧ ହୃଦୟ ଦ୍ରୁତ । ହୃଦର ଦ୍ରୁତତ୍ୱ ଯାଦୃକ୍‌ କୁମାରୀଗଣଙ୍କର – ନରର ତ ଦୂରର କଥା, ନାରୀର ତାବୃକ୍‌ ନୁହେଁ । କାନ୍ତ କୋମଳ ହୃଦୟର ଦ୍ରୁତତ୍ୱ ସ୍ୱାଭାବିକ । ଏ ଦୃଷ୍ଟିରେ ପ୍ରଧାନ ଭକ୍ତଙ୍କ ଅନୁରାଗୀ ହୃଦୟ କୁମାରୀର ହୃଦୟବତ୍‌ ସ୍ମିଗ୍‌ଧ ଓ ଦ୍ରୁତ ।

 

ପ୍ରବୃତିର ବିନାଶରେ ଅନୁରାଗ ଜନ୍ମେ ନାହିଁ । କିନ୍ତୁ ଐହିକ ବିଷୟରୁ ପ୍ରବୃତ୍ତି ପାରତ୍ରିକ ବା ଭଗବତ୍‌ ବିଷୟରେ ସଂକ୍ରମିତ ହେଲେ ଅନୁରାଗ ଅକ୍ଷୁର୍ଣ୍ଣ ରହେ । ଐହିକ ବିଷୟରୁ ନିବୃତ୍ତିରେ ପ୍ରବୃତ୍ତିରେ ପ୍ରବୃତ୍ତିର ଲୋପ ହୁଏ ନାହିଁ । ପ୍ରବୃତ୍ତି ପ୍ରକୃଷ୍ଟ ପନ୍ଥା- ସତ୍ୟପନ୍ଥା ଅବଲମ୍ୱନ କଲେ ଉତ୍ତରୋତ୍ତର ବୃଦ୍ଧି ଲାଭ କରି ପରମ ପ୍ରେମମୟ ପଦବୀ ପ୍ରାପ୍ତ ହୁଏ ।

 

ଭଗବାନ୍‌ ପ୍ରେମସ୍ୱରୂପ । ତାଙ୍କର ଶକ୍ତିମଧ୍ୟରେ ପ୍ରୀତି ଶକ୍ତି ଶ୍ରେଷ୍ଠ । ସେ ଯେଉଁ ଶକ୍ତି ବଳରେ ନିଜେ ପ୍ରେମବାନ ହୁଅନ୍ତି ଓ ଜୀବମାନଙ୍କ ମଧ୍ୟରେ ପ୍ରେମ ବିତରଣ କରି ସେମାନଙ୍କୁ ପ୍ରେମବାତୁଳ କରାନ୍ତି, ତାହା ତାଙ୍କର ପ୍ରେମମୟୀ ଶକ୍ତି । ଉକ୍ତ ଶକ୍ତିର ରାଜ୍ୟ ଏହି ବିଶ୍ୱ । ସେହି ଶକ୍ତି-ପ୍ରେମ-ବିଶ୍ୱପ୍ରେମ । ସେହି ଶକ୍ତିବଳରେ ଭକ୍ତମାନଙ୍କ ମଧ୍ୟରେ ତାରତମ୍ୟ ପରିଦୃଷ୍ଟ ହୁଏ । ଗୋପୀମାନେ ସେହି ପ୍ରେମଶକ୍ତି ବଳରେ ଭକ୍ତିଶିରୋମଣି ହୋଇ ପାରିଛନ୍ତି । ପ୍ରେମଶକ୍ତିର ଅତ୍ୟଧିକ ବିଳାସ ହେତୁ ଗୋପୀମାନେ ପ୍ରେମସ୍ୱରୂପା-ଭଗବାନଙ୍କର ପ୍ରେମମୟୀ ଶକ୍ତି । ସେମାନଙ୍କ ମଧ୍ୟରେ ରାଧା ଶ୍ରେଷ୍ଠ । ରାଧା ଓ କୃଷ୍ଣଙ୍କ ଲୀଳା-ପ୍ରେମଲୀଳା । ଭଗବତ୍‌ ପ୍ରେମ ଦିବ୍ୟ ଚିନ୍ମୟ । ସେ ପ୍ରେମ ଅପାକୃତ । ତାହା ବୈଷ୍ଣବ ଦର୍ଶନରେ କାମ ନାମରେ ଅଭିହିତ । ସେ କାମ ବାସ୍ତବ କାମଠାରୁ ପୃଥକ୍‌ ।

 

‘ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧାହରି --ଅଭିମନ୍ୟୂ

ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରି ହେ । --ଅଭିମନ୍ୟୁ

ପୁନଶ୍ଚ - ଅପ୍ରାକୃତ ପ୍ରେମ ଯା ନାମ କାମ

 

ସୌନ୍ଦର୍ଯ୍ୟର ଉତ୍ପତ୍ତି ହିଁ କାବ୍ୟର ମୁଖ୍ୟ ଉଦ୍ଦେଶ୍ୟ । କବିଙ୍କର ସୌନ୍ଦର୍ଯ୍ୟ ଅବବୋଧ ହିଁ ତାଙ୍କର ପ୍ରଧାନ କାରଣ । ସୌନ୍ଦର୍ଯ୍ୟରେ ହିଁ ପ୍ରୀତିର ବିଳାସ । ରାଧା ଓ କୃଷ୍ଣ ପ୍ରୀତିମୟ ଓ ସୌନ୍ଦର୍ଯ୍ୟମୟ । କାବ୍ୟର ବିଷୟ ପ୍ରେମର ମହତ୍ତ୍ୱ ପ୍ରକଟନ । ଆଧେୟର ପ୍ରତିପତ୍ତି ଆଧାର ବିନା ହୋଇପାରେ ନାହିଁ । ଏତଦୃଷ୍ଟିରେ ଅପ୍ରତ୍ୟକ୍ଷ ନିଗୂଢ଼ ବିଷୟ ଆଧାରରୂପେ କଳ୍ପିତ ହେଲେ ସୁକୁମାରମତି ସାଧାରଣ ଲୋକଙ୍କ ହୃଦୟ ରସାସ୍ୱାଦ କରିପାରେ ନାହିଁ । ବିଷୟଟି ଦର୍ଶନର କୋଟିକୁ ଆଶ୍ରୟ କରେ । ସଂସ୍କୃତ ଆଳଙ୍କାରିକଙ୍କ ମତରେ କାବ୍ୟକାନ୍ତାସମ୍ମିତ । ଯେ ସ୍ୱକାବ୍ୟବଳରେ ଜନସାଧାରଣଙ୍କ ହୃଦୟରେ ସହଜ ସରଳ ସୁନ୍ଦର ବର୍ଣ୍ଣନା ଦ୍ୱାରା ଚମତ୍‌କାର ଭାବ ପ୍ରତିପାଦନ କରିପାରନ୍ତି ସେ ପ୍ରକୃତ କବି । କବି ରୂପପାୟୀ । ତେଣୁ ଶଂସିତ କବି ନିଜ ସାଧନାର ସିଦ୍ଧି କଳ୍ପେ ଅରୂପକୁ ଛାଡ଼ି ରୂପକୁ ଅବଲମ୍ୱନ କରିଅଛନ୍ତି । ବସ୍ତୁର ଶୋଭନ ନିର୍ଦ୍ଦେଶର ଅଭାବ ହେତୁ କାବ୍ୟର ସାଧାରଣ ଅବୋଧରେ ବ୍ୟାଘାତ ଜନ୍ମେ । ଅସ୍ମଦ୍ଦୃଷ୍ଟିରେ କାବ୍ୟର ବିଷୟ ଯେତେ ଲୌକିକ ଯେତେ ଜୀବନ୍ତ, ତାହା ତେତେ ଗ୍ରହଣୀୟ - ତେତେ ହୃଦୟସ୍ପର୍ଶୀ ହୁଏ । ଏତଦ୍ଦୃଷ୍ଟିରେ କବି ପ୍ରେମର ମହତ୍ତ୍ୱ ପ୍ରକଟନକଳ୍ପେ ରାଧାକୃଷ୍ଣଙ୍କ ପ୍ରେମଲୀଳା ଏହି କ୍ଷୁଦ୍ର ଗୀତିନାଟିକାରେ ବ୍ୟାଖ୍ୟାନ କରିଛନ୍ତି । ରାଧାକୃଷ୍ଣ-ଶରୀରୀ, ମାନବ-ତାଙ୍କର ମାନବତ୍ୱରେ ଦେବତ୍ୱର ପୂର୍ଣ୍ଣ ବିକାଶ । ତହୁଁ ଏହି ବାସ୍ତବିକତାରେ ଦିବ୍ୟ ପ୍ରେମଲୀଳା ପ୍ରକଟନ ହିଁ ଏହି ନାଟିକାର ମୁଖ୍ୟ ଉଦ୍ଦେଶ୍ୟ ।

 

ପ୍ରକୃତିରେ ଅନ୍ତରରେ ଓ ବାହାରେ ସର୍ବତ୍ର ସୌନ୍ଦର୍ଯ୍ୟ ଦର୍ଶନ କରି – ଚିରସୁନ୍ଦରଙ୍କର ସତ୍ତା ସର୍ବତ୍ର ବିରାଜମାନ – ଏହାର ପ୍ରତିପାଦନ ଛଳେ ଗୋପକୁମାରୀଙ୍କ ପ୍ରୀତିଭକ୍ତିରେ କୃଷ୍ଣଚନ୍ଦ୍ରଙ୍କୁ ପ୍ରଣତି ।

 

ସଖୀମାନଙ୍କ ଉକ୍ତିରୁ ସୁମନା-ସୌନ୍ଦର୍ଯ୍ୟ ଦର୍ଶନରେ ମାନବ-ମାନସ-ଗୀତିର ସ୍ୱତଃ ଉଦ୍‌ବୋଧନ । ଏହି ଗୀତି ଆନନ୍ଦ ଓ କାରୁଣ୍ୟରେ ମୂର୍ଚ୍ଛିତ । ସୌନ୍ଦର୍ଯ୍ୟମୟଙ୍କ ସତ୍ତାର ନିଦର୍ଶନ ପ୍ରକାଶରେ ବିପୁଳ ଆନନ୍ଦ ଓ ତତ୍‌ ପ୍ରାପ୍ତି ନିମିତ୍ତ ଆକାଙ୍‌କ୍ଷା-ଲାଳସା-ଆବେଗ-ହେତୁକ କାରୁଣ୍ୟ ।

 

ଚକ୍ଷୁର କି ଅପୂର୍ବ ଆନନ୍ଦ ! ପୁଷ୍ପାଦିର ଅନୁଭାବରେ ପ୍ରେମମୟଙ୍କ ପ୍ରୀତି ଅଭ୍ୟୁଦୟ ।

 

ସୌରଭମୟ, ସୌନ୍ଦର୍ଯ୍ୟମୟ ସୁମନା ସହିତ ଶ୍ରୀମତୀଙ୍କ ଆତ୍ମତୁଳନା । ଅଭୀଷ୍ଠର ପ୍ରାପ୍ତିରେ ଆଶଙ୍କାଜନିତ ହୃଦୟର ଆକୁଳ ଆଲୋଡ଼ନା, ତହୁଁ ନିଜ ପ୍ରତି ଅଧିକ୍ଷେପ ।

 

‘ହୃଦୟେ ଫୁଟିଛି ଏ ପ୍ରେମ କଢି

ଅନ୍ଧାରେ ଆଗେ ଶୁଝିବ ଝଡ଼ି

 

ମରମବେଦନା କେ ବୁଝିବ ଆଉ ଯୌବନ ତା’ର ଯିବଟି ସରି ।’

 

ଲଳିତାର ଶଙ୍କିତ ହୃଦୟରେ ଶ୍ରୀମତୀଙ୍କ ପ୍ରତି ଆଶାୟୀ ବାଣୀ । ତତ୍‌ ଶ୍ରାବଣରେ ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରୀମତୀଙ୍କର -

 

(୧) (କ) ‘ମଥାମଣି ସମ ମଣିଛି ମିତଣି

      କିସ ପର ବାଛନ୍ଦରେ ।’

 

(ଖ) ‘ସରବ ସୁନ୍ଦର ସାର

      ସୁନ୍ଦର ଦଳର ରାଜାକୁ ଅବା ମୁଁ

      କରିଚି ମୋ ଗଳାହାର

 

(ସେତ) ଆଖି ମୋର ଦିଏ ଦହି ।’

 

ବୃନ୍ଦାବତୀଙ୍କ ଆଶ୍ୱାସବାଣୀ - ‘ଚରଣ ସ୍ପର୍ଶେ ନିବିଡ଼ ହର୍ଷେ ହେବୁ ସରବତ୍ୟାଗୀ ।’

 

ଶ୍ରବଣରେ ଶ୍ରୀମତୀଙ୍କ

 

(୨) ଔସ୍ତୁକ୍ୟ ଓ ଜାଗରଣ

 

ନିଶି ନିଶି ମୁହିଁ ଥିଲି ଉଜାଗର

ରଖିଲି କବାଟ ଖୋଲି ।’

 

(୩) ଗ୍ଲାନି

 

‘ସବୁ ଦୋଷଯାକ ମନ ଆକୁଳରେ

କପାଳକୁ ଦେଲି ଲେଖି ।

ମିଛେ ମିଛେ କହୁ ମୋର

 

(୪) ଘୂର୍ଣ୍ଣା

 

ଖସିପଡ଼େ ବାସ,

ଖସିପଡ଼େ କେଶ

କ୍ଷଣେ ଫୁଟେ ହାସ,

କ୍ଷଣେ ପ୍ରାଣେ କ୍ଲେଶ ।’

 

(୫) ଉଦ୍‌ବେଗଜନିତ କମ୍ପ

 

‘ଥର ଥର ଥର      ଆଖି ଝର ଝର

ଆଗୁଳି ଧରେ କି ଲାଜ ।’

 

(୬) ଶ୍ୱାସ

 

‘ଶୁଖିଯାଏ ଅବା ନିଶ୍ୱାସ ପବନ

(କହ) କି କରିବି ଏହାପାଇଁ ?

 

(୭) ଉନ୍ମାଦ ଓ ବିଳାପ

 

‘ପାଗଳ ପରାଏ ଲୋଟେ ଧରାତଳେ

କେତେ ବସେ ତାର ଧ୍ୟାନେ,

ଝିଙ୍ଗାସି କେ କେତେ ହିୟା କରତନ୍ତି

କେ ମାରନ୍ତି କାବ୍ୟବାଣେ ।

ଆଖିରୁ ଆବେଗେ ପାଣି ପଡ଼େ ଝରି

କହ ମୁଁ ବଞ୍ଚିବି ସତେ,

ସବୁ ବାଟେ ମୋର କଣ୍ଟା ପଡ଼ିଚି ଲୋ

ଯିବି ଆଉ କେଉଁ ପଥେ ?

 

(୮) ମରଣ ଉଦ୍ୟମ

 

(କ) ଜୀବନେ ନ ଥାଏ ତିଳେ ପ୍ରୟୋଜନ

ଲୋଡ଼େ ମୁଁ ଅମୃତ ମରଣ ।’

 

(ଖ) ଶ୍ମଶାନ ମଣେ ମୋ ପୁରୀ

 

ଦଦରା ବୋଇତ ବସି ଅଜ୍ଞାନରେ

ଅକୂଳେ ମାଇଲି କାତ ।

 

(ଗ) ତାହାରି ଲାଗି ମୁଁ ହେବି ବିରାଗିନୀ

ନିଶ୍ଚେ ମୋ ଚିତ୍ତ ସଙ୍ଖାଳି ।

 

(ଘ) ବାସନା ମୋହର ହେଲେ ହୁଅନ୍ତି ମୁଁ

ତା ପାଦର ଧୂଳି ଅଳିଆ

 

ଏହି ମରଣେଦ୍ୟମ - ଅର୍ଥାତ୍‌ ମୃତ୍ୟୁର ଅବସ୍ଥା ସଦୃଶ ଦଶାର ପ୍ରାପ୍ତିରେ ମଞ୍ଜୁଳାର ଘୋର ଦୁଃଖମୟ ବଚନ –

ତୁଚ୍ଛାକୁ ତୁଚ୍ଛାକୁ

କାନ୍ଦିବ ସେ ମନେ

      ଜୀବନ ରହିବ ସତେ ?

 

ଓ ବୃନ୍ଦାବତୀର ମଧ୍ୟ ତଦ୍ରୁପ ଭକ୍ତି –

 

‘ଶ୍ୟାମ ଧନ ବିନା ରାଧା ମନ କି ରସିବ ?

 

ତତ୍‌ଶ୍ରବଣରେ ଶ୍ରୀମତୀଙ୍କ ନିର୍ବେଦ, ବିରାଗ । ତାହା ନୈରାଶ୍ୟର ଫଳ । ତାଙ୍କ ଭକ୍ତିରୁ ଜଣାଯାଏ, ଯେ ପ୍ରେମରେ ବିଭୋର – ପ୍ରେମ ତାଙ୍କୁ ଘାରିଚି -

 

‘ମରଣଜିଣା ଏ ପ୍ରୀତି ସରି ମିତ !

ଆଉ କି ଅଛି ମୁଁ ପାଇ ?

 

ଏହି ପ୍ରାଣମୂର୍ଚ୍ଛା ପ୍ରୀତି ଦର୍ଶନରେ ଲଳିତାଙ୍କ ଭକ୍ତି –

 

‘ମନେ ପକାନୀ...........ଯେତେ’

 

ତତ୍‌ଶ୍ରବଣରେ ରାଧାଙ୍କ ଭକ୍ତି –

 

‘ସଖି ! ଏଥିରେ କି ଦୋଷ ମୋର ?

ପ୍ରତି ଅଙ୍ଗ ମମ ପିଇଲା ପୀୟୁଷ

ଚେତନା ରାଇକୁ ହଜିଲି’

 

ପୁନଶ୍ଚ ସେହି ଭାବର ବର୍ଣ୍ଣନ –

 

‘ଅର୍କ୍ଷିତ ନିର୍ମାଖୀ ବୁଲିବି ସଂସାରେ

ପୂଜା ପାଠ ମୋତେ ଅଜଣା ।’

ମୋ ଦେବତା ମୋର ସଂଖାଳି

ତା ବିନା ମୁଁ ଦୀନ କଙ୍ଗାଳି ।’

‘ମୂରଳୀ ତା ମୁଖେ ବାଜଇ ମଧୁରେ

କି ରୂପ ଦେଖିବି କହ ନା ।’

‘ପ୍ରେମର ଜୟ

ମରଣର ଲୟ

 

ଅଣୁ ପରମାଣୁ ହୁଅନ୍ତେ ନନ୍ଦିତ ।’

 

ଶେଷରେ ପ୍ରେମକୁହୁକୀୟା କୃଷ୍ଣଙ୍କ ପ୍ରତି ପ୍ରୀତିର ପ୍ରାବଲ୍ୟରେ ରାଧାଙ୍କ ଘୋର ଅଧିକ୍ଷେପ –

 

ମଲିକି ବଞ୍ଚିବି

ଆଗେ ରହୁତ’

 

ନବ ନୀରଦ

 

ଶ୍ରୀକୃଷ୍ଣଙ୍କ ପୂର୍ବରାଗ ରାଧାଙ୍କ ପୂର୍ବରାଗ ସଦୃଶ ମଧୁରକାରୁଣ୍ୟର ସମୂର୍ଚ୍ଛିତ । ପ୍ରାରମ୍ଭ ଗୀତିଟି ଯେପରି ଭାବଗର୍ଭକ, ସେହିପରି ଚମତ୍‌କାର ପ୍ରତିପାଦନ । ପାଠକର ଚିତ୍ତ ଆନନ୍ଦରସରେ ଭରି ଉଛୁଳିପଡ଼େ ।

 

ପ୍ରେମଚିନ୍ତାମଣିର ଶ୍ରୀକୃଷ୍ଣ ସ୍ୱୟଂ ଭଗବାନ, ବିଶ୍ୱପ୍ରେମର ବିତରଣକାରୀ । ସେହି ବିଶ୍ୱପ୍ରେମର ପ୍ରେମିକା ଶ୍ରୀରାଧାଙ୍କ ସହ ତାଙ୍କର ବିନୋଦ । ଶ୍ରୀକୃଷ୍ଣଙ୍କ ଦ୍ୱାରା ରାଧାଙ୍କ ଦର୍ଶନାଦି ନ କରାଇ ପୂର୍ବରାଗ ବର୍ଣ୍ଣନରେ ପରିପାଟୀର ଅଭାବ ହେଲେହେଁ ତାହା ତେତେ ଧର୍ତ୍ତବ୍ୟ ନୁହେ । ଯେ ଲୀଳାକାରୀ, ଯେ ପ୍ରେମମଧୁ ବିତରଣ କରିଛି ସେ ଜାଣେ କିଏ ଚାଖିଚି, କିଏ ବିଭୋର ହୋଇଛି, କିଏ ତନ୍ମୟ ହୋଇଛି । ତହୁଁ ନିର୍ଦ୍ଦେଶର ଅଭାବରେ ଚାରୁତାର ହାନି ହୋଇନାହିଁ, ବରଂ ବୃଦ୍ଧି ହୋଇଅଛି ।

 

ଭକ୍ତର ପୂର୍ବରାଗରେ ପ୍ରାଥମିକ ବର୍ଣ୍ଣନର ସମୀଚୀନକୁ ପୂର୍ବେ କଥିତ ହୋଇଅଛି । ଭକ୍ତର ହୃଦୟରେ ଭଗବତ୍‌ ଅନୁରାଗ ବା ରତି ଜନ୍ମିବା ସେହି ଭଗବାନଙ୍କର କାର୍ଯ୍ୟ । ସେହି ଲୀଳାକାରୀ ସୁଲୀଳାର ମାଧୁର୍ଯ୍ୟର ଆସ୍ୱାଦନ କରାଇବା ନିମିତ୍ତ ଭକ୍ତମାନଙ୍କୁ ପ୍ରବୋଧିତ କରନ୍ତି, ମଧୁର ବେଣୁ ନାଦରେ – ଓଁକାର ଧ୍ୱନିରେ ବିଶ୍ୱର ରନ୍ଧ୍ରେ ରନ୍ଧ୍ରେ ଏକ ସ୍ପନ୍ଦନ ଆଣନ୍ତି ଏବଂ ଜୀବମାନଙ୍କୁ ସ୍ୱ ନିକଟକୁ ଆନନ୍ଦ ଚିନ୍ମୟ ରସ ଉପଭୋଗ କରିବା ନିମିନ୍ତେ ଆକର୍ଷଣ କରନ୍ତି । ଯେ ଏହା କରନ୍ତି ସେ କୃଷ୍ଣ । ଯେ ଆକର୍ଷଣ କରନ୍ତି, ସେ ନିଜର ଶକ୍ତି ସଂଚାର କରନ୍ତି ଏବଂ ନିଜର ଶକ୍ତିର - ପ୍ରେମର ସଂଚାରର ଯେଉଁଠାରେ ଆଧିକ୍ୟ ଦେଖନ୍ତି, ସେ ତତ୍‌ପ୍ରତି ଆକୃଷ୍ଟ ହୋଇପଡ଼ନ୍ତି । ସ୍ୱ-ପ୍ରୀତି ଶକ୍ତିରେ ରାଧାଙ୍କୁ ବିହ୍ୱଳା, ଉନ୍ମତ୍ତା ଦେଖି ସେ ନିଜେ ଆକୃଷ୍ଟ, ଉଦ୍ଦିଗ୍ନ, ଆତୁର ଓ ଉନ୍ମତ୍ତ । ଏହି ଭାବ, ଏହି ଉନ୍ମଦନାର ବିଷୟ ଶ୍ରୀକୃଷ୍ଣ ଓ ତତ୍‌ସଖାଙ୍କ ଭକ୍ତିରୁ ସ୍ପଷ୍ଟ ପ୍ରତିପାଦିତ ହୁଏ ।

 

ଶ୍ରୀକୃଷ୍ଣଙ୍କ ମୁଖରେ –

 

‘ସୁନା ଝଳି ଘେନି ଲବଣୀ ହୁଅନ୍ତା

କହନ୍ତି ବା ରୂପ ତା’ର ଇତ୍ୟାଦି ।

 

ସୁବଳ ମୁଖରେ –

 

‘ଚପଳା ଲୀଳାରେ ଚିତ୍ତ ମଜ୍ଜାଇକୁ

ବଜର କଲୁଟି ସାର’ ଇତ୍ୟାଦି ।

 

ଶ୍ରୀକୃଷ୍ଣ –

 

‘ତଡ଼ିତେ ତଡ଼ିତ ଅବା କଲା ଆକର୍ଷଣ ।

 

ସୁଦାମ –

 

‘ସେ ସଙ୍ଗ ଗୋଧୂଳି ଆକାଶର ଶୋଭା

ଆଉ ଏ ଜୀବନେ ପାଇବ କି ?

 

ଶ୍ରୀକୃଷ୍ଣ –

 

ମୁକ୍ତିର ଆନନ୍ଦ ସ୍ୱାଦେ ଅଧୀର ଉନ୍ମୁତ୍ତ.....

ନିବିଶାଳ ଉନ୍ମାଦ ପ୍ରାଣେ ପ୍ରାଣେ !

 

ସୁବଳ –

 

‘ସାଧବଟି ବାଦ ଜଗତର ବାଧା

(ତୋର) ଶରଧା ଯିବଟି ସରି....

ବେଳହୁଁ ଭୂଲିଯା ଦଳା ହରିତାଳ

ଢଳା ଅଙ୍ଗ ଚଳାପାଙ୍ଗୀ ।’

‘ଚାରୁ ଚାମୀକର-ବର-ବରନାକୁ

କଜ୍ୱଳେ କି ଦେବୁ ବୋଳି ।’

ତତ୍‌ଶ୍ରବଣରେ ଶ୍ରୀକୃଷ୍ଣଙ୍କ ଭକ୍ତି

‘ଜଗତର ବାଧା...

କନକମଞ୍ଜରୀ ଶସ୍ୟେ ସମୀର ଆଶ୍ଲେଷେ,

ତହିଁ ଜଗତର ବାଧା ।’’

ପ୍ରୀତିରେ ରାଧା ନାହିଁ, ବିଶ୍ୱପ୍ରୀତିର ଗତି ଅବାରିତ ।

 

ସଖାଦ୍ୱୟର ଭକ୍ତି –

 

‘ଜଗତଟାକୁ ଦେ ଫିଙ୍ଗି ଦୂରେ !

ଦୂରେ ! ଦୂରେ ! ଦୂରେ !

 

ଶ୍ରବଣ କରି ଶ୍ରୀକୃଷ୍ଣଙ୍କ ପ୍ରତ୍ୟୁକ୍ତି –

 

ଯେଉଁଠାରେ ମୋର ଶକ୍ତିର ବିକାଶ, ମୋର ପ୍ରୀତିର ବିଳାସ, ତାକୁ ବା କିପରି ଛାଡ଼ିବି ? ସେ ମୋର, କିନ୍ତୁ ମୁଁ ବର୍ତ୍ତମାନ ତା ଛଡ଼ା ଶକ୍ତିହୀନ, ଜଡ଼ ସଦୃଶ ।

‘ଭାଙ୍ଗୁ ଜଡ଼ତାର ମୋହ ମୋର

ନିଦ୍ରା ବେନି ନୟନର ।’

ରାଧା ପରା ପ୍ରେମ-ଲୀଳାକ୍ଷେତ୍ର ଜଗତରେ ପ୍ରତିନିଧି – ଗୁରୁ !

 

ତତ୍‌ଶ୍ରବଣରେ ଆଶ୍ଚର୍ଯ୍ୟ ସହିତ ସଖାଦ୍ୱୟଙ୍କର ଉକ୍ତି –

 

‘ମଙ୍ଗଳ ବିଧାନ ଏ କି କହିବାରେ ଭୁଲେ ।’

 

ବଂଶୀ ଶ୍ରବଣରେ ରାଧା ଉନ୍ମନା ହୋଇ ବଂଶୀ ଜନ୍ମର ସାର୍ଥକତା ଓ ନିଜର ଜନ୍ମର ଅସାରତା କହି ନିଜର ଦୁଃଖ ପ୍ରକାଶ –

 

‘କିପାଁ ବାଜୁ ଗୋ ମୂରଲୀ

ମର୍ମ୍ମ ବେଦନା ବଢ଼ାଇ ?

............ଦିଅନ୍ତା ବିଶ୍ୱ ବୁଡ଼ାଇ !’

 

ସୁବଳ ଓ ସୁଦାମ ବଂଶୀନାଦରେ ଉନ୍ମତ୍ତ ହୋଇ ଗାଇବା –

 

‘ବାଜରେ ରସରାଜ, ବୀଜରେ ବଂଶୀ ବାଜ !

ବ୍ରଜ କୁଞ୍ଜେ କୁଞ୍ଜେ ବାଜରେ ବଂଶୀ ବାଜ !

ସେ ମୋହନ ଛନ୍ଦେ କିଶୋରୀ ଗଣ୍ଡେ

ଫୁଟି ଉଠୁ ରେ ମଧୁରିମା ପ୍ରେମାନନ୍ଦେ

ଲାଜ ଲଳିତ ଲାଲି

ଲାଜ ପାଟଳ ସାଜ

ଲାଜର ଗୋଲାପ ଫୁଲ

ଲାଜରେ ଲାଜ ଲାଜ !’

 

ବେଣୁସ୍ୱନ ଶ୍ରବଣରେ ଶ୍ରୀମତୀଙ୍କର ଦଶାର ବିପର୍ଯ୍ୟୟ ଦେଖି ସଖୀମାନଙ୍କର ତିରସ୍କାର –

 

‘କିଏ ତୁ ଗାଉ ରେ ଗୀତ ଘନକାଳିଆ,

ଯା’ରେ ଚାଲି, ଯା’ରେ ଚାଲି

ଯା’ରେ ଯା’ ତୁ ଜଞ୍ଜାଳିଆ !’

 

ସେ ତିରସ୍କାର ଶୁଣି ପ୍ରେମରସିକିନୀ ରାଧାଙ୍କର ଉଦାର ଉକ୍ତି –

 

‘ତୋ’ ବିନା ବଜାଇବ କେ ମୁରଳୀ ଏଡ଼େ ମୋହନ !

 

ଶ୍ରମତୀଙ୍କୁ ଦର୍ଶନ କରି ଶ୍ରୀକୃଷ୍ଣଙ୍କର ଉକ୍ତିରେ –

 

ନୀଳ ନୀରଧିରେ

ସୁବର୍ଣ୍ଣ ତରଣୀ

ରୂପପସରାର ଭାସିଲା.....

ଲଭିଲା ମୁକ୍ତିର ଆହ୍ଲାଦ ।’

 

ପ୍ରେମର ଲାବଣ୍ୟଧାରା ଖେଳିଯାଉଅଛି ଏବଂ ତତ୍‌ପରେ କୃଷ୍ଣ ଏବଂ ଗୋପୀମାନଙ୍କର କଥୋପକଥନରେ ପ୍ରେମପ୍ରସବଣର ପତିତ ପ୍ରବାହ ।

 

ନୀର ପାନ

 

ନୀରପାନର ଅବତରଣିକା ଗୀତିକା ଅତୀବ ଅର୍ଥଯୁକ୍ତ ।

ନ ଥାନ୍ତାରେ ଯଦି.............

ଉକ୍ତ ନଥିଲେ କି ଥାନ୍ତେ ଭଗବାନ !’

 

ପ୍ରେମରସ ପାନ କାହାର ? ଭକ୍ତର ନା ଭଗବାନଙ୍କର ? ସାଧାରଣ ଦୃଷ୍ଟିରେ ଭକ୍ତର ! କିନ୍ତୁ ତାହା ନୁହେଁ – ପାନ ଉଭୟଙ୍କର । ସଖୀମାନେ ଆନନ୍ଦରେ ବିହ୍ୱଳ –

 

‘ଶାନ୍ତ ସୁନ୍ଦରଛନ୍ଦେ

ମୁଗ୍‌ଧ ପରମ ଆନନ୍ଦେ’

ଆଜି ରାଜେ ନବ ସାଜେ, ସୁନ୍ଦର ସୁଧା ଆନନ୍ଦେ

ସଞ୍ଚରେ ସମୀର ମନ୍ଦେ ମନ୍ଦେ, ସୁଧା ଆନନ୍ଦେ ।’

 

ଆଜି ପ୍ରକୃତି ଆନନ୍ଦମୟ । ଆନନ୍ଦ ସର୍ବତ୍ର ଖେଳୁଛି । ଆଜି ଉକ୍ତ ଭଗବାନଙ୍କର ମିଳନ । ଆଜି ବିଶ୍ୱପ୍ରେମର ଦାତା-ଗ୍ରହୀତା, ଗ୍ରହୀତା-ଦାତା । ଆଜି ଗୁରୁ ଶିଷ୍ୟ, ଭକ୍ତ ଭଗବାନ, ପ୍ରେମିକ ପ୍ରେମିକାଙ୍କ ଅଭିନ୍ନ ମିଳନ । ଆଜି ଗୁରୁ ଶିଷ୍ୟର ପାଦରେ, ଶିଷ୍ୟ ଗୁରୁର ପାଦରେ, ଏହାହିଁ ବିଶ୍ୱପ୍ରେମର ପୂର୍ଣ୍ଣ ସାର୍ଥକତା ।

 

ସଖୀଦଳଙ୍କ ମୁଖରେ –

 

‘ଜଗଜ୍ଜନମନୋରଞ୍ଜନ ଯା ନାମ

ସେ ତୋ’ ପ୍ରାଣୀରାମ ପ୍ରାଣାକୁଳ ଶ୍ୟାମ

ଅମରବାଞ୍ଚିତ ପଦ ତୋ ସଂପଦ

ସେ ପିପାସୀ ତୋହ ପାଇଁ ।

 

ଏଠାରେ ଯେ ଭକ୍ତ- ସେ ଶିଷ୍ୟ, ଯେ ଶିଷ୍ୟ-ସେ କାନ୍ତା-ପ୍ରେମିକ । ଯେ ଗୁରୁ ସେ ଭଗବାନ୍, ଯେ ଭଗବାନ ସେ କାନ୍ତ-ପ୍ରେମୀ। ଅନ୍ୟତ୍ର ବୈଷ୍ଣବଦର୍ଶନରେ ଗୁରୁ, ଶିଷ୍ୟ, ଭଗବାନ ପ୍ରେମିକ, ପ୍ରେମିକା ଦୂତୀରୂପେ ତିନିଜଣ ଗୃହୀତ ହୋଇଥିଲେ ହେଁ ଏ ନାଟିକାରେ ଯେ ଗୁରୁ ସେ ଭଗବାନ । ବୈଷ୍ଣବ ଗ୍ରନ୍ଥମାନଙ୍କରେ ତ୍ରିବୀଜ (ହ୍ଲୀ, ଶ୍ଲୀ, କ୍ଲୀ), ତ୍ରିଶକ୍ତି (ପରା, ରମା, କାମ), ତ୍ରିନାମ (ହରି, ରାମ, କୃଷ୍ଣ)ର ସର୍ବତ୍ର ବିଚାର ହୋଇଅଛି । ଭଗବାନ କୃଷ୍ଣ ପ୍ରଥମରେ ଏକ; ତତ୍‌ପରେ ତାଙ୍କ ଶକ୍ତି ସହିତ ସେ ଦୁଇ ଏବଂ ତାଙ୍କ ଶକ୍ତିର ଲୀଳା ଆସ୍ୱାଦନ ଏବଂ ପ୍ରକଟନ ନିମିତ୍ତ ତୃତୀୟ ଶକ୍ତି ବା ବ୍ୟକ୍ତିର ପ୍ରୟୋଜନୀୟତା ।

 

ଯେତେବେଳେ କେବଳ ରାଧା ଏବଂ କୃଷ୍ଣଙ୍କର ପ୍ରେମର ବିଚାର ସେତେବେଳେ ସେ ଦୁଇ ବ୍ୟକ୍ତି, ଦୁଇ ନାମ, ଦୁଇ ବୀଜର ଖେଳ। ସଖାସଖୀମାନେ ତୃତୀୟ ବୀଜକୁ, ତୃତୀୟ ଶକ୍ତିକୁ, ତୃତୀୟ ନାମକୁ ଅବଲମ୍ବନ କରି ରହିଅଛନ୍ତି । ରାଧାକୃଷ୍ଣଙ୍କ ଲୀଳା ବାସ୍ତବିକତାରେ ଆଧ୍ୟାତ୍ମିକ ଲୀଳାର ପ୍ରକଟନ । ଏଥିରେ ବାସ୍ତବ କାମର ଗନ୍ଧ ନାହିଁ । ସବୁ ଦିବ୍ୟ ଚିନ୍ମୟ । ତାହାର ପ୍ରକାଶ ଏହି ପୃଥିବୀରେ- ଏହି ମର ଦେହରେ ; ଅନ୍ୟ କୌଣସି ଉର୍ଦ୍ଧ ଲୋକରେ, କଳ୍ପନାଗତ ଜଗତରେ ବା କଳ୍ପନାତୀତ ରାଜ୍ୟରେ ନୁହେଁ ।

 

ଏ ରାଜ୍ୟ ପ୍ରେମର । ସେହି ପ୍ରେମରାଜ୍ୟ ଭଗବାନଙ୍କର ହେଲେହେଁ ତାହା ବର୍ତ୍ତମାନ ହୋଇଛି ପ୍ରେମବାତୁଳା ରାଧାଙ୍କର । ପ୍ରେମମୟଙ୍କର ଅନ୍ତରଙ୍ଗ ସଖାମାନେ, ସେହି ଚିନ୍ମୟ ପ୍ରେମର ପୂର୍ଣ୍ଣ ବିଳାସର ଅଭିବ୍ୟକ୍ତି ନିମିତ୍ତ ସହାୟଭୂତ ଓ ପ୍ରେମମୟଙ୍କର ଅନ୍ତରଙ୍ଗା ସଖୀମାନେ ରାଧାଗତ ପ୍ରେମର ପରିସ୍ଫୁର୍ତ୍ତିର ଚରିତାର୍ଥତା ନିମିତ୍ତ ଓ ସହାୟଭୁତା । ପ୍ରେମଦାତା ଓ ପ୍ରେମ ଗ୍ରହୀତା ପ୍ରେମର ମାହାତ୍ମ୍ୟ ବଳରେ ପରସ୍ଵରାପେକ୍ଷୀ । ଉଭୟଙ୍କର ମିଳନ ବିଶ୍ଵପ୍ରେମର ଚରିତାର୍ଥତା, ପରିସ୍ଫୁର୍ତ୍ତି, ପରାକାଷ୍ଠା ।

 

ଶ୍ରୀମତୀ ଓ ଶ୍ରୀକୃଷ୍ଣଙ୍କ ମିଳନରେ ଆଳାପ ଅତି ମଧୁର –।

 

“ମଧୁରଂ ରସବଦ୍ ବାଚି ବସ୍ତୁନ୍ୟପି ରସସ୍ଥିତିଃ ।

ଯେନ ମାଦ୍ୟନ୍ତି ଧୀମନ୍ତେ ମଧୁନେବ ମଧୁବ୍ରତା !? କାବ୍ୟାଦର୍ଶ

 

ଏ ମିଳନ ପ୍ରସଙ୍ଗରେ ନାଟିକାରୁ ଉଦ୍ଧାର କରିବା ପ୍ରୟୋଜନ ଦେଖୁନାହିଁ । କାରଣ ମାଧୁର୍ଯ୍ୟମୟୀଙ୍କ ସହିତ ମାଧୁର୍ଯ୍ୟମୟଙ୍କର ମିଳନ- ମଧୁର ସହିତ ମଧୁପର ମିଳନ । ରସ ମଧୁର, ବାକ୍ୟ ମଧୁର । ମାଧୁର୍ଯ୍ୟ ଅବବୋଧକାରୀ କାବ୍ୟ-ବିନୋଦୀ, ଭକ୍ତି-ବିନୋଦୀ, ପ୍ରେମାନନ୍ଦୀ ତାହା ପାଠ କରି ଆସ୍ୱାଦ କଲେ ଆନନ୍ଦମୟ ଭାବ ପ୍ରାପ୍ତ ହେବେ । ରାମଚନ୍ଦ୍ର କବିରାଜଙ୍କ ଉକ୍ତିକୁ ଟିକିଏ ବଦଳାଇ କହିଲେ ଏଠାରେ ସମୀଚୀନ ହେବ -

 

‘ସର୍ବାଙ୍ଗସୁନ୍ଦରୀ ରାଧା

କୃଷ୍ଣ ସର୍ବାଙ୍ଗସୁନ୍ଦରଃ

 

ତୟୋରାନନ୍ଦ ଜନନୀ

କୃତି ସର୍ବାଙ୍ଗସୁନ୍ଦରୀ ।

 

ପ୍ରେମଚିନ୍ତାମଣିର ଲେଖା ସର୍ବାଙ୍ଗ ସୁନ୍ଦରୀ କହିବା ଦ୍ଵାରା ବୁଝାଯାଉନାହିଁ ଯେ ଏ ନାଟିକା ଦୋଷବର୍ଦ୍ଧିତ । କିନ୍ତୁ ଗୁଣ ଅନୁପାତରେ ଦୋଷର ସତ୍ତା ଏତେ କମ୍ ଯେ ତାହା ପ୍ରତି କାଳୀଦାସଙ୍କର ଉକ୍ତି ।

 

‘ଏକୋହି ଦୋଷେ ଗୁଣସନ୍ନିପାତେ ।

ନିମଜ୍ଜତୀନ୍ଦୋଃ କିରଣେଷ୍ୱିବାଙ୍କ ପ୍ରଯୁଜ୍ୟ ।

 

କବି ଉପସଂହାର ଗୀତିକାରେ ଜ୍ୟୋତିର୍ମୟ ଶ୍ରୀକୃଷ୍ଣଙ୍କର ଆରାଧନା ସଖୀ ଓ ଶ୍ରୀମତୀଙ୍କଦ୍ୱାରା କରାଇଅଛନ୍ତି । ଭଗବାନ ନିରାକାର ଓ ସାକାର । ଯେଉଁମାନେ ତାଙ୍କୁ କେବଳ ନିରାକାରରୂପେ ଗ୍ରହଣ କରିଅଛନ୍ତି ସେମାନେ ଯେପରି ଏକଦେଶଦର୍ଶୀ, ସେହିପରି ସାକାରଦର୍ଶୀମାନେ ମଧ୍ୟ ଏକଦେଶଦର୍ଶୀ । ଉତ୍କଳ ପଞ୍ଚସଖାମାନେ ଭଗବାନଙ୍କୁ ନିରାକାର ଏବଂ ସାକାର ରୂପେ ଉପାସନା କରିଅଛନ୍ତି । ବ୍ରହ୍ମବୈବର୍ତ୍ତ ପୁରାଣରେ ମଧ୍ୟ ତାହାହିଁ ପ୍ରତିପାଦିତ ହୋଇ ଅଛି । ।

 

‘ନିରୀହଞ୍ଚ ନିରାକାରଂ ନିର୍ଲିପ୍ତଞ୍ଚ ନିରାଶ୍ରୟମ୍ ।

ନିର୍ଗୁଣଞ୍ଚ ନିରୁତ୍ସାହଂ ନିର୍ବ୍ୟୃହଞ୍ଚ ନିରଞ୍ଜନମ୍

ସେଚ୍ଛାମୟଂ ଚ ସାକାରଂ ଭକ୍ତାନୁଗ୍ରହ ବିଗ୍ରହମ୍

ସତ୍ୟସ୍ୱରୂପଂ ସତ୍ୟେଶଂ ସାକ୍ଷରୂପଂ ସନାତନମ୍।।

ଜ୍ୟୋତିର୍ମୟ ପରଂବ୍ରହ୍ମ ସର୍ବାକାରକାରଣମ୍ ।

 

ପୁନଶ୍ଚ କେତେବେଳେ ସେ ନିରାକାର, କେତେବେଳେ ସେ ସାକାର ଏବଂ ରାଧାଙ୍କ ସହିତ ପ୍ରେମମୟ ମିଳନରୂପ – ତାହା ମଧ୍ୟ ବର୍ଣ୍ଣିତ ହୋଇଅଛି ।

 

‘କ୍ଷଣଂ ତେଜଃ ସ୍ଵରୂପଞ୍ଚ ରୂପଂ ତତ୍ର ସ୍ଥିତଂ କ୍ଷଣମ୍

ନିରାକାରଞ୍ଚ ସାକାରଂ ଦଦର୍ଶ ଦ୍ୱିବିଧଂ କ୍ଷଣମ୍।

ପୁନଶ୍ଚ - ଏ ପୁଷ୍ପ ଚିହ୍ନିଲେ ସିନା ବାସନା ଫୁଟିବ।

ନାମ ବ୍ରହ୍ମ ଜ୍ୟୋତିବ୍ରହ୍ମ ରୂପ ପ୍ରକାଶିବ ।

ଏକାକ୍ଷର ବ୍ରହ୍ମ ଏହି ଜ୍ୟୋତି ବ୍ରହ୍ମରୂପ

 

ଏଥିପରେ ଅଲୌକିକ ଅଲେଖ ସ୍ୱରୂପ । ଶୂନ୍ୟସଂହିତା, ୨ୟ ଅଧାୟ ।

ଜ୍ୟୋତିମଣ୍ଡଳର ମଧ୍ୟେ ବିଜୟ ଶ୍ରୀହରି ।’ ଶୂନ୍ୟସଂହିତା, ୪ର୍ଥ ଅଧ୍ୟାୟ । ।

 

କବିଙ୍କର ଏରୂପ ଭାବନା ଶାସ୍ତ୍ରାନୁମୋଦିତ ଓ ଉତ୍କଳର ଧର୍ମମତ ଦ୍ୱାରା ସମର୍ଥିତ ।।

 

କବି ଯେ ମଧୁର ଭାବରେ ପ୍ରଣୋଦିତ ହୋଇ ଏହି ମଧୁର ରସମୟୀ ଗୀତି-ନାଟିକା-ଲତିକାଟିକୁ ଲଳିତ ମଧୁର ପଦାବଳୀ ସୁମନାରେ, ଚିର ମଧୁ ସମୟ-ବିନୋଦିନୀ ଦେବୀ ବୀଣାପାଣିଙ୍କ ସୌରଭମୟ ସୁମନା-କୁଞ୍ଜର କମନୀୟ ଅଙ୍ଗକୁ ଅଧିକତର ସୌରଭମୟ କରି ମଧୁ ବର୍ଷଣ କରିପାରିଅଛନ୍ତି, ତାହା ଉତ୍କଳର ଗୃହେ ଗୃହେ ସଂଚାର ଲାଭ କରି ଜନସାଧାଣଙ୍କ ମନ ମୁଗଧ କରିପାରିବ- ଏହା ମୋର ଧାରଣା ।

 

ଶ୍ରୀ ଆର୍ତ୍ତବଲ୍ଲଭ ମହାନ୍ତି

ରେଭେନ୍ସା କଲେଜ, କଟକ

୧୪।୧୨। ୩୦ ।

 

ନିଜକଥା

 

ଦୁଇ ବର୍ଷ ପୂର୍ବେ ମୋର ପ୍ରିୟଭୂମି କଟକ ନଗରରେ ଥିଲାବେଳେ କେତେଗୁଡ଼ିଏ ସ୍ୱରବିଶିଷ୍ଟ ଖଣ୍ଡକବିତା ଲେଖିଥିଲି । ସେଗୁଡ଼ିକ ପ୍ରତି ଶ୍ରୀମାନ୍ ଚକ୍ରଧରଙ୍କର ଏତେ ଶ୍ରଦ୍ଧା ଆସିଥିଲା ଯେ ସେ ସେଗୁଡ଼ିକୁ ସଜାଇ ଗୋଟିଏ ବହିର ସୂତ୍ରପାତ କରିଥିଲେ, ଏବଂ ମୋତେ ବହିଟି ଶେଷ କରିବାକୁ ଅଳି କରିଥିଲେ।

 

ବହିର ନାୟକ ନାୟିକାଙ୍କୁ ରାଧାକୃଷ୍ଣ ଭାବରେ ଗ୍ରହଣ କରିବା ପାଇଁ ମୋର ଆଦୌ ଇଛା ନଥିଲେ ହେଁ, ପୁଣି ମହାଭାବପୂର୍ଣ୍ଣ ରାଧାକୃଷ୍ଣ ଲୀଳା ଓ ତତ୍‌ସମ୍ବନ୍ଧୀ ପୁସ୍ତକମାନଙ୍କ ବର୍ଣ୍ଣିତ ବିଷୟରେ ମୁଁ ଅନଭିଜ୍ଞ ଥିଲେ ହେଁ- ଚକ୍ରଧରଙ୍କ ସନିର୍ବନ୍ଧ ଅନୁରୋଧ ଉପେକ୍ଷା କରି ନପାରି ବହିର ନାମ ପ୍ରେମଚିନ୍ତାମଣି ଓ ନାଟକର ନାୟକ ନାୟିକାଙ୍କୁ ଜଗତ୍‌ବରେଣ୍ୟ ଶ୍ରୀମତୀ-ଶ୍ରୀକୃଷ୍ଣ ନାମରେ ରଖିଅଛି । ।

 

ବହିଟିର ଆମୂଳଚୂଳ ରଚନା ମୋର ହେଲେ ହେଁ ନାଟକୀୟ ଭାବରେ ସାଜସଜା ମୂଳରୁ ଶେଷ ପର୍ଯ୍ୟନ୍ତ ଚକ୍ରଧର କରିଅଛନ୍ତି । ତାଙ୍କର ଚେଷ୍ଟା ନ ଥିଲେ କିମ୍ବା ମୋ ଲେଖା ପ୍ରତି ସ୍ନେହ ନଥିଲେ ଖଣ୍ଡ କବିତାଗୁଡ଼ିକ ଏପରି ସଙ୍ଗୀତ ସମୟରେ ପ୍ରେମଚିନ୍ତାମଣି ନ ହୋଇ ଆଉ ଅନ୍ୟପ୍ରକାର କିଛି ହୋଇଥାନ୍ତା । ପ୍ରେମଚିନ୍ତାମଣିକୁ ସଜାଇବା, ଉତୁରାଇବା, ଭୂମିକା ଲେଖାଇବା ଓ ଛପାଇବା ଇତ୍ୟାଦି କାମରେ ମୁଁ ବିଶେଷ ସାହାଯ୍ୟ ପାଇଥିବାରୁ ଓ ମୋ ଲେଖା ପ୍ରତି ଶ୍ରଦ୍ଧା, ଆଦର, ଯତ୍ନ ଥିବାରୁ ମୁଁ ଶ୍ରୀମାନ୍ ଚକ୍ରଧର ମହାପାତ୍ରଙ୍କୁ ଏଥିପାଇଁ ଆନ୍ତରିକ ଧନ୍ୟବାଦ ଓ ଆଶୀର୍ବାଦ ଦେଉଅଛି ।

 

ଅଧ୍ୟାପକ, ସାହିତ୍ୟରଥୀ ଶ୍ରୀଯୁକ୍ତ ଆର୍ତ୍ତବଲ୍ଲଭ ମହାନ୍ତି ଏମ୍.ଏ. ମହୋଦୟ କଠୋର ଶ୍ରମ ସ୍ୱୀକାର କରି ଭୂମିକାଟି ଲେଖିଦେଇଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଅଛି ।

 

ଦିଲ୍ଲୀ,

 

୨ – ୧୨ -୩୦      

ଶ୍ରୀମତୀ କୁନ୍ତଳାକୁମାରୀ ସାବତ୍

 

ପ୍ରେମ ଚିନ୍ତାମଣି

 

ଶ୍ରୀକୃଷ୍ଣାର୍ପଣମସ୍ତୁ

 

ପଥ ମଝିରେ କୃଷ୍ଣ ଦେଖା,

ଆଉ ନ ଯିବି ବୃନ୍ଦାବନେ,

(ଏବେ) ମନୋମୋହନ ଶ୍ୟାମଘନ

ରାଜେ ହୃଦ-ପଦ୍ମାସନେ ।

ପଥଧୂଳି ହେବି ବୋଳି

ମଥାରେ ମୁଁ ନେବି ତୋଳି,

ଲୋଟିବି ଶ୍ରୀହରି ବୋଲି

ଧୂଳି ଶେଯେ ଅଯତନେ ।

କାନ୍ଧେ ବହି ନାମ ଝୁଲି

ପଥେ ପଥେ ବୁଲି ବୁଲି

ହରିନାମ ସୁଧାପାନେ

ମତାଇବି ସର୍ବଜନେ ।

 

ଚାତକିନୀ

 

ଅର୍କ୍ଷିତ ନିର୍ମାଖୀ ବୁଲିବି ସଂସାରେ

ଭିକାରୁଣୀବେଶେ ଦୁଆରେ ଦୁଆରେ,

ଭଙ୍ଗା କେନ୍ଦରାରେ ଗାଇବି ତା’ ନାମ

ପ୍ରାଣାରାମ ପ୍ରିୟ ଚିତ୍ତ ପ୍ରାଣାରାମ,

ସେତିକି ମୋ ଧର୍ମ୍ମ ଧାରଣା,

ଯୋଗ-ଯାଗ, ଜପ-ତପ, କାଷ୍ଠା-ନିଷ୍ଠା

ପୂଜା-ପାଠ ମୋତେ ଅଜଣା ।

 

(୧)

ହୃଦୟମନ୍ଦିରେ, ଚିରସୁନ୍ଦର

ରାଜେ, ଚିର ରାଜେ ରେ,

ପରାଣଛନ୍ଦେ ଗାଅ ଆନନ୍ଦେ

ମାନସ-ମୁରଜେ ବାଜେ ରେ ।

ନୀଳ-ପୟୋଧି-ଲୋଳ-କଲ୍ଲୋଳେ

ମନ୍ଦ-ମାରୁତ-ଗନ୍ଧ-ହିଲ୍ଲୋଳେ

ପିକ ପଞ୍ଚମେ ଅଳି ଗୁଞ୍ଜନେ

ବୀଣା ବଂଶୀରେ ବାଜେ ରେ ।

ନୈଶ ଅମ୍ୱର ତାରକା ଶଶୀ

ପ୍ରଫୁଲ୍ଲ ପୁଷ୍ପ ସୁଷମାରାଶି

ଶତ ନିର୍ଝର ଗିରି ପ୍ରାନ୍ତର-

ଶୋଭା –ବିଭାରେ ରାଜେ ରେ ।

ଖିଳ-ରଞ୍ଜନ ଦୁଃଖ-ରଞ୍ଜନ

ସନ୍ତାପହର କୃପା-ନିଧାନ

ଚିରସୁନ୍ଦର ସତ୍ୟ ମଧୁର

ବିଶ୍ୱ ଅନ୍ତରେ ରାଜେ ରେ ।

 

(୨)

ଅତି ସୁଖ ପାଏ ତୋତେ ସୁମନରେ ମୋହନ ରେ,

ହୃଦୟର ପ୍ରତିରୂପ ମୋହର କି ଜଗତରେ ।

ପର୍ଣ୍ଣେ ପର୍ଣ୍ଣେ, ବର୍ଣ୍ଣେ ବର୍ଣ୍ଣେ,

ଦଳେ ଦଳେ, ଝଳେ ଜ୍ୱଳେ,

ମାନବ-ମାନସ- ଗାଥା କି କରୁଣ ରସାଳ ରେ,

କାନ୍ଦେ ହସେ ହେରି

ତେଣୁ ତନୁ ତୋର ନିରୋଳରେ ।

 

କଳିତ ଲଳିତ ଦଳେ ଲେଖା କି ସେ ସଙ୍ଗୀତ ରେ,

ଚିତ୍ତଛଣା ସୁଧାଧାରା ଶୋଣିତେ କି ମଥିତ ରେ !

ବ୍ୟଥିତ ବିଧୁର ଆଖି

କି ଆଲେଖ୍ୟ ରହେ ଲାଖି,

ଅଲକ୍ଷ୍ୟେ ନିଷ୍ପନ୍ଦ ହୃଦ କି ଆନନ୍ଦେ ନନ୍ଦିତ ହେ,

କି ସେ ଅକଥନୀୟ ସେ ସ୍ନେହ ବିଶ୍ୱବନ୍ଦିତ ରେ ।

 

ଜଗତ-ଜଞ୍ଜାଳ-ବଣେ ଫୁଟେ କି ସେ କୁସୁମ ରେ,

ସୁଷମାରେ ଜିଣି ସ୍ୱର୍ଗ ସାର ଶିରୀ ସମୂହରେ,

ଜଣାଏ ଅଜଣା ଜନେ,

ପରକୁ ଆପଣା ମଣେ,

ଦୂରକୁ ନିକଟ ବନ୍ଧୁ କରେ କି ରେ କ୍ଷଣକରେ,

ବନ୍ଧାଇ ହୃଦୟେ ବିଶ୍ୱ ଘେନି ଅବା ଘଡ଼ିକରେ ।

 

ନଭୋ-ନୀଳିମାରେ ଶୋଭେ କିବା,

ସେ ଉଦାର ପ୍ରେମ,

ତା’ ଝଟକେ ଝଳେ ତାରା ରଙ୍ଗେ କି ରଞ୍ଜିତ ହେମ,

ସରିତେ ଅମୃତ ଧାରା,

କୁସୁମେ ନୟନକାରା,

ଚିତ୍ତଚୋରା ସେ ମାଧୁରୀ ମମ ଆତ୍ମବିସ୍ମୃତିରେ,

ଅନନ୍ତ ବନ୍ଧନ ମଧ୍ୟେ ସେହି କି ମୋ ମୁକତି ରେ ।

 

ହୃଦେ ହୃଦେ ଖେଳେ ସେହି ଜଳଦେ କି ବିଜୁଳିରେ,

ଅସୀମ ମହିମା ଜ୍ୟୋତି ତ୍ରିଜଗତ ଉଜଳିରେ,

ନିଜକୁ ହରାଏ ନିଜେ,

ଭୁଲେ ମୁହିଁ କରେଁ କି ଯେ,

ମନଭୁଲା ପ୍ରେମ ସେହି ସାରା ସୃଷ୍ଟି ବଶ ରେ,

ଶବ୍ଦ, ସ୍ପର୍ଶ, ଗନ୍ଧ, ରୂପ ଦିବ୍ୟ ରସ ରେ ।

 

(୩)

ଆହା ଏଇ ଫୁଲଟି ପରି

ଚିର ଅନ୍ଧାର ନିରବ ।

ନିଶିରେ ଶିଶିରେ ଯିବି ମୁଁ ମରି !

ପ୍ରାଣେ ମୋହର ଜନ୍ମଜନ୍ମାନ୍ତ

ବାସନା କେତେ ଥିଲା ଏକାନ୍ତ,

କନକ-କର ରବି ରୁଚିର ସ୍ପର୍ଶ ଲଭିବି ଅନ୍ତର ଭରି ।

ହୃଦୟେ ଫୁଟିଛି ଏ ପ୍ରେମକଢ଼ି,

ଅନ୍ଧାରେ ଆଗୋ, ଶୁଖିବ ଝଡ଼ି,

ମରମ ବେଦନା କେ ବୁଝିବ ଆଉ,

ଯୌବନ ତାର ଯିବଟି ସରି !

ନବ ନୀରଦ ଉଦୟେ କେକୀ କି ନ ରସିବ,

ନବ ମରୀଚିମାଳୀକୁ ଫୁଲ କି ନ ଚାହିଁବ ?

ଆକାଶେ ଶୁଭିଲେ ଧନୁ ମେଘରେ

ନ ଚାହିଁବ କହ କେ ଅନୁରାଗରେ ?

ତେସନ ସୁନ୍ଦର ମନମୋହକର

ଶ୍ରୀପାଦ-ସରୋଜ ମନ-ଅଳି ନ ଚୁମ୍ୱିବ ?

କାହିଁ ଆଉ ତାର ପ୍ରାଣର ପୂର୍ଣ୍ଣତା,

କାହିଁ ଉପଶମ ମନ ବ୍ୟାକୁଳତା,

ଲତା ଯଦି ତେଜେ ଚାରୁ ତରୁ ଅଙ୍ଗ

ଶତ ଚରଣର ଦଳା ସେ କି ନ ସହିବ ?

 

(୫)

ସଖି ! ମୁଁ କି ତାରେ ଛାଡ଼ିପାରେ ?

ଜୀବ ନାଡ଼ି ପଛେ ହଜିବ ହୃଦରୁ,

ଜ୍ୟୋତି ଲିଭିଯିବ ବେନି ନୟନରୁ,

ବୁଡ଼ିଯିବେ ଚାରୁ ଚନ୍ଦ୍ରମା ତପନ -

ତାରା ଚିର ଅନ୍ଧକାରେ ।

ଫୁଲ ଭୁଲୁ ତାର ସୁବାସ ଚହଟ,

ସୁନାରୁ ସରୁ ତା କାନ୍ତି ଝଟ ଝଟ,

ଆକାଶ ଅଙ୍ଗରୁ ଖସୁ ଲୋ ନୀଳିମା

ରକ୍ତ ତେଜୁ ରଙ୍ଗ ତାର,

ଯା’ ପାତେ ମୋ ଜୀବ ସେ ପଦ-ରାଜୀବ

ହେଉ, ଜନ୍ମେ ଜନ୍ମେ ଗଳାହାର ।

କହନ୍ତୁ ଲୋ ଲୋକେ ଶ୍ୟାମ କପଟିଆ,

କହନ୍ତୁ କାଳିଆ କୁଳ-କଳଙ୍କିଆ,

ଗଳାରେ ମୋହର ଛୁରୀ ଦେଇ ଭଲେ

ରହୁ ଆନ ଆନନ୍ଦରେ,

ମଥାମଣି ସମ ମଣିଛି ମିତଣି !

କିସ ପର ବାଛନ୍ଦରେ,

 

(୬)

କଳା କେତେ କିଲୋ ସ୍ୱଗୁଣ ତେଜିବ,

କଳାକୁ ଜୀବନ ବିକି

କଳା ଦେହେ ତିଳେ ନ ଲାଗିବ ବୋଲି

ସାହସ ବାନ୍ଧିବି ନିକି !

କଳା ନିତି ନବ ନବ,

କଳାରୂପେ ମୋର ନୟନର ପ୍ରୀତି

ଅନୁରାଗ ଅନୁଭବ ।

ସରଗ ସୁନ୍ଦର ସାର,

ସୁନ୍ଦର ଦଳର ରାଜାକୁ ଅବା ମୁଁ

କରିଛି ମୋ ଗଳାହାର ।

କେ କହୁ କୁରୂପ ସହି,

ତା’ ବିନା ସୁରୂପ କହୁ ଯାହାକୁ ଲୋ!

(ସେତ) ଆଖି ମୋର ଦିଏ ଦହି ।

 

(୭)

କାହିଁକି ରେ ଝୁରୁ ସହି ! ସେହି ସୁନ୍ଦର ଲାଗି,

କୋଟି କନକ ତାରା ରୂପେ ଆଖି ରହିଛି ଜାଗି ।

ପଥେ ବସାଇ ଯେ ପାଇଛି,

ଗୋପନେ ପ୍ରେମେ ସେ ଚାହିଁଛି,

ଦିବସ ନିଶି ତୋ ଅଶ୍ରୁ ଝରୁଛି

ସେହି ସୁନ୍ଦର ଲାଗି,

କାନ୍ତି କମଳ ସୌରଭରୂପେ ପ୍ରେମ ରହିଛି ଜାଗି ।

ଧୂଳି ଧୂସର ତନୁଗୋଟି

ପାଦତଳେ ଯିବୁଟି ଲୋଟି,

ଚରଣ ସ୍ୱର୍ଶେ ନିବିଡ଼ ହର୍ଷେ ହେବୁ ସରବତ୍ୟାଗୀ ।

 

(୮)

ଆହା ! ଏଇ ପଥେ ଯିବ ବୋଲି

ନିଶି ନିଶି ମୁହିଁ ଥିଲି ଉଜାଗର

ରଖିଲି କବାଟ ଖୋଲି

ଅତର ଚନ୍ଦନେ ହୋଇଲି ବେଶ,

ସଜ ସୁମନରେ ସାଜିଲି କେଶ,

ଘନ ଅନ୍ଧକାରେ କାହିଁ ସେ ମିଶିଲା

ଠୁଳେ ନ ପାରିଲି ଦେଖି,

ସବୁ ଦୋଷଯାକ ମନ ଆକୁଳରେ

କପାଳକୁ ଦେଲି ଲେଖି ।

କଳା, ସେ କି ଏକା ମୋର,

ଜଗତଯାକର

ସେତ ମନଚୋର,

ମିଛେ ମିଛେ କହେଁ ମୋର ।

ଆହା ! ଏଇ ବାଟେ ଯିବ ବୋଲି

ଯମୁନା କୂଳରେ

କଦମ୍ୱ ମୂଳରେ

ବୁଲୁଥିଲି ଫୁଲ ତୋଳି !

ଚକିତେ ଚମକେ ଚଞ୍ଚଳ ନୟନ,

ଦିଶିଯିବ ପରା ରୂପ ବିମୋହନ,

ବହି ଯିବ ପରା,

ରୂପ-ସୁଧା-ଧାରା,

ଅଧୀର ହୃଦୟେ ଆକୁଳ କମ୍ପନ ।

ଖସିପଡ଼େ ବାସ,

ଖସିପଡ଼େ କେଶ,

କ୍ଷଣେ ଫୁଟେ ହାସ,

କ୍ଷଣେ ପ୍ରାଣେ କ୍ଳେଶ ।

 

(୯)

ଆହା ! ଏଇ ପଥେ ଯିବ କାହ୍ନୁ,

ଉଇଁଯିବ ପରା      ହୃଦ-ଅମାକାଶେ

ଚିତ୍ତ-ବିନୋଦିଆ ଭାନୁ ।

ଥର ଥର ଥର      ଆଖି ଝର ଝର

ଆଗୁଳି ଧରେ କି ଲାଜ,

ପଥେ ଛିଡ଼ା ହୋଇ       ଚରଣ ଛିଞ୍ଚାଡ଼େ

କଣ୍ଟକ କାଢ଼ିବା ବ୍ୟାଜ ।

ଦୁରୁଁ ଯେବେ ଦେଖେଁ ଛାଇ

ଲାଜ ଆନନ୍ଦରେ       ମଉଳିପଡ଼େ ମୁଁ

ଚାହିଁ ତ ନ ପାରେଁ ଚାହିଁ ।

ଜଡ଼ ରସନାରେ ନ ଫୁଟେ ବଚନ,

ବହିପଡ଼େ ଦେହୁଁ ସ୍ୱେଦ ଘନଘନ,

ରୁନ୍ଧିଯାଏ ଅବା ନିଃଶ୍ୱାସ ପବନ,

(କହ) କି କରିବି ଏହାପାଇଁ ।

 

(୧୦)

କେତେ ଗୁନ୍ଥେଁ ଫୁଲମାଳି,

ଆକୁଳେ ଛିଣ୍ଡାଇ      ଦଳେଁ କରତାଳେ

ଉଷ୍ଣ ଅଶ୍ରୁରାଶି ଢାଳି।

ଫୁଲରୁ ସୁନ୍ଦର ବଳି

କି ରଙ୍ଗେ ରଞ୍ଜିଲେ       କହ ଲୋ କମଳା,

ସୁନାରେ ଫୁଟିବ ଝଳି ?

ପ୍ରେମ କହ, ମୁଁ କି ଜାଣେ ?

ଖାଲି କି ବେଦନା ଗୋପନେ ଉଠୁଛି,

ମରୁଛି ମୁଁ ପ୍ରାଣେ ପ୍ରାଣେ ।

କାହିଁରେ ମୋହର ନ ମିଶଇ ମନ

ଥାଏ ଥାଏ ହୁଏଁ ଆକୁଳ ଉଚ୍ଛନ୍ନ,

ପାଗଳ ପରାଏ ଲୋଟେଁ ଧରାତଳେ,

କେବେ ବସେଁ ତାର ଧ୍ୟାନେ,

ଝିଙ୍ଗାସି କେ କେତେ ହିଆ କରତନ୍ତି

କେ ମାରନ୍ତି କାବ୍ୟ-ବାଣେ ।

ଯେତେ କରେଁ ମନା ମନକୁ ଆଉ ମୁଁ

ଆଣିବି ନାହିଁ ତା କଥା,

ତେତେ ରୂପ ତାର ଦିଶେ ଆନ ଆନ

ବଢ଼େ ନବ ନବ ବଥା ।

ଯେତେ ପର ମୋତ କରେ ସେ ସୁନ୍ଦର

ତେତେ ଆପଣାର ହୁଏ ସେ ମୋହର,

କହ ଜାଣେ ସେହି କି ମାୟା ହୃଦର,

ମନ୍ଦ ମୋତେ କହ ସବୁ,

ମନ୍ଦ ଇନ୍ଦୀବରେ କହିବ ଏଥର,

(ତାକୁ) ରବି ଚାହେଁ ଦୂର ନଭୁଁ ।

 

(୧୧)

କହ ସହି ! କାହା କଥା ଭାବୁ ବିରୋଳେ ?

କିଏ ସେ ତୋ ପ୍ରାଣସଖା,

କା’ ପାଦେ ତୋ ଚିତ୍ତ ଯୋଖା,

ଚମକେ ପୁଲକେ ଚିତ୍ତେ ପ୍ରେମ ଉଛୁଳେ ?

କାହାର ସେ ରୂପ ତୋରା,

କୋଟି ଭୁବନ-ପାସୋରା,

ରବି ଶଶୀ ତାରକାରେ ଛବି ଉଜଳେ ?

ନୀରବେ ନୟନାସାରେ

ଗୁନ୍ଥି କି ମୁକୁତା ହାରେ

ଅରପି ଗଳାରେ, ବାରେ ଚାହିଁବୁ ଭୋଳେ ।

ନୁହେଁ ଦିନକର ପ୍ରୀତି,

ଜନ୍ମ ଜନ୍ମ ଗଲା ବିତି,

ତୁ ତାହାର ସେ ତୋହର ଯୁକ୍ତ ଯୁଗଳେ ।

 

(୧୨)

କି ଭଳି ପଥର ପାଲଟିଗଲି,

ଜାଣୁ ଜାଣୁ ଏତେ ଅକର୍ମ କଲି,

ଆତ୍ମଗ୍ଳାନି କେବେ ତା’ ରୂପ ସୁମରି

ଆଖିରୁ ଆବେଗେ ପାଣି ପଡ଼େ ଝରି,

କହ ମୁଁ ବଞ୍ଚିବି ସତେ,

ସବୁ ବାଟେ ମୋର କଣ୍ଟା ପଡ଼ିଛି ଲୋ,

ଯିବି ଆଉ କେଉଁ ପଥେ ?

ତା ଭିତରେ ଅଛି କହ କି ମୋହିନୀ,

ଅଛି ବା ସ୍ୱର୍ଗର ସୁଧା ସଞ୍ଜୀବନୀ,

ଶତ ପ୍ରତିଜ୍ଞା ମୋ’ ଭାସିଯାଏ କେଣେ

ଥରେ ଚାହିଁଲେ ଚରଣେ,

ଜୀବନେ ନ ଥାଏ ତିଳେ ପ୍ରୟୋଜନ,

ଲୋଡ଼େ ମୁଁ ଅମୃତ ମରଣେ ।

 

(୧୩)

ସେହି ଦିଏ ଏତେ ଦୁଃଖ,

ତା ଲାଗି ପୁଣି ମୁଁ

ଜଗତଯାକରୁ

ହୋଇଛି ଛାଏଁ ବିମୁଖ ।

ନ ସାଧିଲେ ନିଜେ

ସାଧେ ପାଦ ଧରି,

ନିଜର ଯାତନା,

ନିଜେ ଆଣେ ବରି ।

ସାରା ସଂସାର ତା

ଦୋଷ ବଖାଣନ୍ତି,

ମୁଁ ଦେଖେଁ ଗୁଣସାଗର,

ଚନ୍ଦ୍ରରେ କଳଙ୍କ

କହନ୍ତି, ଭାଳେ ମୁଁ

ସେ ଏକା ଅମୃତାକର ।

 

(୧୪)

ନିଅ ଗୋ ସହି, ସହି

ଏ ନୁଆ ଆମ୍ବ ପତର,

ଡାଳେ ଡାଳେ ବଉଳ –

ମାଳ ଶୋଭେ କିସୁନ୍ଦର !

ଏ ପତର ବଡ଼ଗୁଣର,

ସଙ୍ଖାଳି ନୂଆ ଫଗୁଣର,

ଶ୍ୟାମେ ନ ପାଇଲୁ ନାହିଁ

ଏ ପତର ରୂପ ଧ୍ୟାୟି

ପାସୋରିଯିବୁ ବିକାର,

ଜାଳା ମନର ।

ଦେବି କି ଖଞ୍ଜି

ଅଙ୍ଗେ ଅଙ୍ଗେ,

ବଢ଼ିବ କାନ୍ତି

କେତକୀ ରଙ୍ଗେ,

ଶ୍ୟାମ-ଶୋଭା ଭ୍ରମେ      ଲଭିବୁ ମରମେ

ସାନ୍ତ୍ୱନା

ଅବା ମୁହୂର୍ତ୍ତର ।

 

(୧୫)

ଆହା ! ସେଦିନ କି ଭୁଲିବି ଜୀବନେ

ପହିଲି ଯେଦିନ ଦେଖିଲି ନୟନେ

ନବ ଚୂତପତ୍ର-

ସୁଷମା ଶ୍ୟାମର,

ଥିଲି କି ଏ ଜଗତରେ,

ଭୁଲିଲି ମୋହର

କୂଳ ମାନ ଜ୍ଞାନ

ଅନ୍ଧ ହେଲି ନିମିଷରେ ।

ସେହି ଦିନୁଁ ଝୁରି ଝୁରି

ବୁଲେଁ ବନେ ବନେ

ବିଜନେ ଗୋପନେ

ଶ୍ମଶାନ ମଣେ ମୋ ପୁରୀ ।

କେ କେତେ କହିଲେ ହତଭାଗିନୀ,

ହେଲୁ ଆଗୋ ଏଡ଼େ କୁଳକାମିନୀ,

ବୁଝି ନ ବୁଝିଲି

ଘେନି ନ ଘେନିଲି

ବଚନ ଗୁରୁଜନର,

ଶତ ସରିତରେନୀର ଥାଉଁ ଯହୁ

ଆଶ୍ରା କଲି ଜଳଦର,

ଏବେ ପଡ଼ିଲା ମୁଣ୍ଡେ ବଜର ।

ସାନର କିମ୍ପା ଏ ଗୁମାନପଣ,

ଆକାଶେ ଅଟ୍ଟାଳି ରଚିବା ଟାଣ,

ବିଦ୍ୟୁତକୁ ଫୁଲମାଳ ମନାସିଲି

ଚାନ୍ଦେ ବଢ଼ାଇଲି ହାତ,

ଦଦରା ବୋଇତେ ବସି ଅଜ୍ଞାନରେ

ଅକୂଳେ ମାଇଲି କାତ ।

ଯେ ନିଆଁ ଜାଲିଲି ହିଆରେ ,

ସହସ୍ର ସାଗର-      ନୀର ଅଜାଡ଼ିଲେ

ନ ଲିଭି ବଢ଼ିବ କାୟାରେ ।

ସତେ ଆଉ ଦେଖା ନ ହେବ ଜୀବନେ,

ବୁଲିବି ତା ନାମ ଗାଇ ବନେ ବନେ,

ତାହାରି ଲାଗି ମୁଁ ହେବି ବିରାଗିନୀ,

ଉସମ ବୋଲିବି ଅଙ୍ଗେ,

ଛିଣ୍ଡା କନ୍ଥା କେତେ ସମ୍ୱଳ ବାନ୍ଧିବି,

ରଙ୍ଗାଇବି ଗେରୁ ରଙ୍ଗେ ।

ବାର ବରଷ ମୁଁ ତପସ୍ୟା କରିବି

ଚଉପାଶେ ଅଗ୍ନି ଜାଳି,

ଇନ୍ଦ୍ରପଦ ଯଦି ଲଭନ୍ତି, ପାଇବି

ନିଶ୍ଚେ ମୋ ଚିତ୍ତ-ସଙ୍ଖାଳି ।

ତା’ ବିନା ଜୀବନେ କିସ ଲୋଡ଼ା ମୋର,

ତା’ ବିନା ଜୀବନେ କିସ ଲୋଡ଼ା ମୋର,

ତା’ ବିନା କି ହେବ ଘରେ ?

ଜହର ଖାଇ ବା ଜୀବନ ହାରିବି,

ପଶିବି ବା ପାବକରେ,

ଝାସିବି ଯମୁନା-ନୀରେ;

ଦେଖୁଥିଲି ପରେ ସେ ରୂପ-ରାଜୀବ

ତା’ ରାଜୀବ-କୁଞ୍ଜ ତୀରେ ।

ଦିଶେ ଦିଶେ ଅବା ଘୋଷିବେ ସକଳେ

ରାଈର ଅକୀର୍ତ୍ତି ବୋଲି,

କହ କେ ଦେଖିଲା ଯାତନାର ଜ୍ୱାଳା

ଗୋପନ ମୋ ହୃଦ ଖୋଲି ?

 

(୧୬)

ଭୁଲିଯା ଭୁଲିଯା ସହି! ସେ ନାମ ଗୀତ,

ଜୀବେ ନ ଲଭିବୁ ଯାହା ତାକୁ ଭୁଲିବା ହିତ ।

ଗୋଲାପ କୁଞ୍ଜରେ      କୁସୁମ ତୋଳିରେ

କଣ୍ଟା କି ନ ଯିବ ଗଳି,

କେତକୀ କାନନେ      ନ ଦଂଶିବ ଅହି,

ଅରବିନ୍ଦ ବନେ ଅଳି ?

କିପାଁ ଅକାରଣେ ନ ହେବା କଥା

ମାନସେ ମନାସି ପାଉଛୁ ବଥା,

ବନ ଫୁଲ ତେଜି ତାରା-ହାରେ କିପାଁ

ଶରଧା ବଳିଛି ମିତ,

ତାର ପ୍ରୀତି ତିଳେ ସ୍ନେହ ବିନା ସହି,

ଜୀବ କି ଯିବା ଉଚିତ ?

 

(୧୭)

ସତେ ସେ କଲାଟି ଏତେ ସରି,

ଗୁଣ କିନ୍ତୁ ତା’ର ବାହୁନିବା ପାଇଁ

ମୋତେ ଅଣ୍ଟୁନାହିଁ ଦିବା ବିଭାବରୀ ।

ଏଡ଼େ ସେ କୁହୁକୀ କାଳିଆ,

ବାସନା ମୋହର ହେଲେ ହୁଅନ୍ତି ମୁଁ

ତା’ର ପାଦ ଧୂଳି ଅଳିଆ ।

ଲାଖି ରହନ୍ତି ତା’ ଦେହେ,

ଚାନ୍ଦରୁ କୌମୁଦୀ ଛଡ଼ାଇଲେ ଆଉ

ବଞ୍ଚିବ ସେ କାହା ସ୍ନେହେ ?

ରବି ଅବା ପଶ୍ଚିମରେ ଉଇଁବ,

ତୁଷାର ତା’ ଶୀତଳତା ତେଜିବ,

ତଥାପି ତା’ ବିନା ନାହିଁ ମୋର ଗତି,

ଜଳ ବିନାମୀନ ଅବା ବଞ୍ଚିବ,

ବୀଣାତାର ବିନା ରହିବ ତା’ ସ୍ୱର,

ଶିଳା ପଛେ ତରଳିବ ।

କି ପ୍ରେମ-ମନ୍ତର      ପଢ଼ାଇଲା ମୋତେ

କହ ସେ କିବା ଗୁଣିଆ,

ଯେତେ ଦୂରେ ମୋତେ      ବରଜି ବସିଲେ

ଯେତେ ଅପମାନେ            ମରମ ପୀଡ଼ିଲେ

ମୁଁ ତା’ ପ୍ରେମଧନେ ରଙ୍ଗ ବଣିଆ,

ଯେ ପାଦେ ପ୍ରହାରେ,       ଲିହେ ତା ମଥାରେ

ସଖି, ଏକି ଅଲାଜୁକପଣିଆ !

କେତେ ତିଆରନ୍ତି ସାଥିଏ,

ବିଷ୍ଣ ପରି ମଣି      ତାଙ୍କ ହିତ ବାଣୀ

ପଙ୍କରେ ପଶେଁ ମୁଁ ଛାତିଏ ।

ଦୂରେ ଥାଉ ମୋର ପଦ୍ମତୋଳା, ମରେ

କାଳ କଳାନାଗ ଦଂଶନରେ,

ତଥାପି ଚେତା ତ ନୋହିଲା ମୋହର,

କହ ଭୁଲିଲି କି ମୋହନରେ ?

ସାରା ଅଙ୍ଗେ ମୋର ବିଷ ସଞ୍ଚରୁଛି,

ଧରା ଦିଶେ ଆନ ଆନ,

ମରୁ ବାଲି ପଥେ ମରୀଚି ପଛରେ

ଧାଏଁ କରି ଜଳ ଜ୍ଞାନ

 

(୧୮)

(ଆହା) ସକାଳରୁ ସଞ୍ଜେ

ତୁମରି ଲାଗି ସେ

ଅନାଇ ବସିଛି ପଥେ,

ଛାତି ଥରେ ଥରେ

ଆଖି ଝରେ ଝରେ

ଆସିଲ ଆସିଲ ସତେ !

ସାରା ପରାଣଟା ତୃଷାରେ ପୂରି

ସାରା ମରମଟା ହେଉଛି ଝୁରି,

ଶିରାରେ ଶିରାରେ

ଚମକେ ବିଜୁଳି

ଛଳିଲେ ଛଳିଲ ପରା,

ଝିମି ଝିମି ଦେହ-

ଗୋଟାକ କ୍ଷଣକେ,

ଅବିଶ୍ୱାସ ଘରେ ତ୍ୱରା ।

ତୁଚ୍ଛାକୁ ତୁଚ୍ଛାକୁ

କାନ୍ଦିବସେ ମାନେ

ଜୀବନ ରହିବ ସତେ,

ଏତେ ଦୁଃଖ ଦେବ

ଶ୍ୟାମଘନ ବୋଲି

ମନେ କେ ଯାଆନ୍ତ ପ୍ରତେ ?

 

(୧୯)

ଶ୍ୟାମ ବିନା ତା’ ମନ କାହିଁରେ ତୋଷିବ,

ନୀରଦ ବିନା କି ନୀରେ ଚାତକ ରସିବ ?

ଶଶୀ ବିନା ହସିବ କୁମୁଦ କି ନୀରେ,

ରବି ବିନା ରଜୀବ କି ବିକଶେ କାସାରେ,

ବିଭାବରୀ ବିନା ତାରା ନଭେ କି ଫୁଟିବ ?

ନ ବହିଲେ ମୃଦୁଳେ ମଳୟ ମାରୁତ,

କୋକିଳ ଗାଇବ କାହୁଁ ଲଳିତ ସଙ୍ଗୀତ,

ଶୀତେ ପାଦପ ବପୁ କି ପଲ୍ଲବେ ଶୋଭିବ ?

ପିପାସା ଶମିବ କି ମରୀଚିକା ନୀରେ,

ତମସ ବିନାଶ କାହିଁ ଖଦ୍ୟୋତ ଜୋତିରେ,

ପ୍ରାଣବନ୍ଧୁ ବିନା ପ୍ରାଣ-ଆଶା କି ପୂରିବ ?

ଶ୍ୟାମଧନ ବିନା ରାଧା ମନ କି ରସିବ ?

 

(୨୦)

ତଥାପି, ମନରେ କାହିଁ

କ୍ଷଣେ ଅବସାଦ ଆସଇ ନାହିଁ,

ମରମ-ଜିଣା ଏ ପ୍ରୀତି ସରି ମିତ !

ଆଉ କି ଅଛି ମୁଁ ପାଇ ?

ପ୍ରୀତି ବୋଲି କେବେ ଜାଣିଲି ସହି,

(ଆନେ) ମିଛେ ମିଛେ ହୁଅନ୍ତି କହି;

କିଶଳୟ ଅଙ୍ଗେ ଶ୍ୟାମଳ ସୁଷମା

ସେ କି ତାର ପ୍ରୀତି ଭାବ ?

ଫୁଲ ଲହୁଣୀରେ କୋମଳତା ଭଳି

ପ୍ରେମ ଯେ ମୋର ସ୍ୱଭାବ ।

ଅଙ୍ଗେ ଅଙ୍ଗେ ମୋର ପ୍ରେମର ଧାର,

ରକ୍ତ ବିନ୍ଦୁ ପ୍ରେମର ହାର;

ପ୍ରତି ଆବେଗର

ହୃଦ ସ୍ପନ୍ଦନର

ଶୁଣେ ମୁଁ ଅମର

ସଙ୍ଗୀତ ପ୍ରେମର ।

ପ୍ରୀତି ମୋ ହୃଦୟ ଫୁଲ,

ସୌରଭେ ତାହାର

ନିଜେ ମୁଁ ଆକୁଳ

ପରକୁ ଦୋଷିବି

କିପରି ସଜନି !

ମୁଁ ତ, ତେଣୁ

କରି ବସେ ଏତେ ଭୁଲ ।

ନେତ୍ର-ଦରପଣେ ଥିଲା ସେ ଛବି,

ହୃଦ-ପଦ୍ମ ଖୋଜୁଥିଲା ସେ ରବି,

ମନ-ଲୁହାଖଣ୍ଡ ସେ ଚୁମ୍ବକ ଲାଗି

ଯୁଗ ଯୁଗ ଥିଲା ଧ୍ୟାୟି,

ଆତ୍ମା ଖୋଜୁଥିଲା ସୁଧା ଆସ୍ୱାଦନ,

ତନୁ ଲୋଡ଼ୁଥିଲା ପରଶ ରତନ,

ତୃଷିତ ଚାତକ ଏ ପ୍ରାଣେ

ନବ ଜଳଧର ମଧୁ ଧାରା ଲାଗି

ଜନ୍ମେ ଜନ୍ମେ ଥିଲା ଚାହିଁ ।

ସୃଷ୍ଟି ମମ ଥିଲା ଅପୂର୍ଣ୍ଣ ସୁଦୀନ,

ଜ୍ୟୋତି-ପ୍ରତିମାଟି ମାତ୍ର ପ୍ରାଣହୀନ,

ପ୍ରାଣ-ପାରାବାର ସେ ତରଙ୍ଗ ଗୋଟି

ଚୁମ୍ୱନ ଲାଗି ଏ ଜୀବନ-ସୈକତ

ଅନାଗତ କେତେ ଦିବସ ଧିଆନେ

ରୁଦ୍ର ତପସ୍ୟାରେ ଥିଲା କି ରତ ?

ପ୍ରାଣ-ମୁରଲୀର ପ୍ରତି ରନ୍ଧ୍ରେ ରନ୍ଧ୍ରେ

ଥିଲା ଯେ ଅବ୍ୟକ୍ତ ଯନ୍ତ୍ରଣା,

ଅଧରେ ହେଲା ସେ ପରଶି

ଉଠିଲା ମରମ ଉଲ୍ଲସି,

ସ୍ୱର ଲହରୀରେ ଭାସି ତ ଉଠିଲା

ବିଶ୍ୱେ ବାଜିଗଲା ମୂର୍ଚ୍ଛନା !

ଉଷା ପାଟଳରେ ସେ କି ଅରୁଣିମା,

ତାରା ଦୀପ୍ତ ହାସେ କି ଶୋଭା ମହିମା !

ଫୁଲ କୁଞ୍ଜେ କୁଞ୍ଜେ ସେ କି ମଧୁଲୀଳା

ସେହି ଲୀଳା ଏ ମୋ ପ୍ରାଣେ,

ବିଶ୍ୱେ ବିଶ୍ୱେ ଫୁଟି ଉଠିଛି ପରା ତା’

ରୂପେ ରସେ ଗନ୍ଧେ ଗାନେ ।

କୋଟି ବିହଙ୍ଗର କଣ୍ଠେ ତା’ କାକଳି,

ତା’ ରଙ୍ଗେ ରଞ୍ଜିତ ଫୁଟେ ପଦ୍ମକଳି,

ଦକ୍ଷିଣା ପବନେ      ବହେ ସେ ସୁରଭି

ଶୁଭ୍ର ମଲ୍ଲିକା-କାନନୁଁ,

ସେ ଅତର ଅବା      ଜନ-ମନ ମୋହେ

କିଆ କପୂର ଚନ୍ଦନୁଁ ।

 

(୨୧)

ଅନା ନା ଅନା ନା ମନା କରିଥିଲୁଁ କେତେ,

ଯାତନା ପାଇଲୁ ସିନା ଅକାରଣେ ଏତେ !

ତା’ ଚିନ୍ତାରେ ସ୍ୱର୍ଣ୍ଣକାନ୍ତି ତେଜିଲା ତୋ’ ଦେହ,

ଦଣ୍ଡେ ତୋ’ କଥା ତା’ ମନେ ପଡ଼େ କି ସନ୍ଦେହ ।

ଫୁଲ ମାଳା ବୋଲି ଭଜିଲୁଟି ଅହି,

ଚନ୍ଦନ ଭ୍ରମେ ଦହନେ ହେଉଛୁଟି ଦହି,

ଜହର ଖାଇଲୁ ଜାଣି ଏବେ ମର୍ମ୍ମେ ମର୍ମ୍ମେ ଚେତେ,

ଭୁଲିଯା ଭୁଲିଯା ତାକୁ ସେତ ଅବିଶ୍ୱାସୀ ଏତେ ।

କେଡ଼େ ସେ ପାଷାଣ-ମନା

କେବେ କଲା ବିବେଚନା !

ପ୍ରେମ ତାର ପ୍ରବଞ୍ଚନା,

କଥା ତା ମିଛ ରଚନା।

ମନେ ପକାନା,

ମନେ ପକାନା, (ଆଗୋ ସହି!)

କହନା ଆଉ କହନା

ବହନେ ଭୁଲିଯା ସହି ତା’ କରଣି ଯେତେ ।

 

(୨୨)

ସଖି ! ଏଥିରେ କି ଦୋଷ ମୋର ?

ଜାଳା ଗୁଣ ବହି ଦୋଷୀ କି ଅନଳ,

ଲବଣ ଘେନି କି ଜଳଧର ଜଳ,

ଭୃଙ୍ଗ ଯଦି ମଧୁଚୋର ।

କଜଳ କଳା କି ଆପଣା ଇଚ୍ଛାରେ,

ମୁଁ କି ପାଗଳିନୀ ମୋ ନିଜ ବିଚାରେ,

ଭୁଲିପାରିଲେ ବ ମନଚୋରକୁ ମୁଁ

ରହନ୍ତି ସୁଖେ ସଂସାରେ ।

ସେ ଦିନ ଆକାଶେ ବାଜିଥିଲା ବେଣୁ,

ଚକିତେ ଶୁଣିଲେ ନଦୀତୀର ରେଣୁ,

ତାଳେ ତାଳେ ବାଚି ଉଠିଥିଲେ ନାଚି,

ହସି ଅନାଇଲେ ପ୍ରତୀଚୀ ପରାଚୀ,

ରବି, ବିନ୍ଦୁ ଇନ୍ଦୁ ଟିକା ଘେନି ବେନି,

କୁମୁଦିନୀ ପାଶେ ହସିଲା ପଦ୍ମିନୀ,

ଚିତ୍ତେ ମୋ ଛୁଟିଲା ତଡ଼ିତ,

କୋଳେ ତାର ଭୋଳେ କେଉଁ ସ୍ୱର୍ଗଲୋକ

ଲଭିଲି ମୁଁ ଚିରବାଞ୍ଛିତ ।

ଭସାଇଦେଲି ମୁଁ କଳସୀ ନୀରେ,

ବସାଇଲି ଆଣି ହୃଦ-ବେଦୀରେ,

ପ୍ରତି ଅଙ୍ଗ ମମ ପିଇଲା ପୀୟୁଷ,

ଚେତନା ରାଇଜୁ ହଜିଲି,

ଧନ୍ୟ ହେଲା ଆହା ! ଜୀବନଗୋଟାକ,

କି ପୂଣ୍ୟ ଆନନ୍ଦେ ମଜ୍ଜିଲି !

କହ ଦୁର୍ବାଦଳ ଘନ ଶ୍ୟାମଳ !

କାହିଁ ଛାର ଘାସ

ତା ପରଶେ ପ୍ରାସ

ସେ ତ କମଳରୁ ବଳି କୋମଳ,

ତହିଁର ମାଧୁରୀ କେ ପାରିବ କଳି ?

ପରଶେ ପଥର ଯିବ ତା’ ତରଳି

କ୍ଷଣେ ଭାଳି ଚିତ୍ତ ଚଞ୍ଚଳ ।

ପ୍ରତି ଅଣୁ ତାକୁ ଚିହ୍ନେ କି,

ପ୍ରତି ରକ୍ତକଣା

ସାଥିରେ ସେ ଜଣା

ଭୁଲେଁ, ସେ ମୁଁ ବେନି ଭିନ୍ନେ କି !

ଦୁଇ ଦେହ ! ଭ୍ରାନ୍ତି ସ୍ୱପନ,

ପ୍ରତି କୋଷେ ପରା ପ୍ରତିଭାତେ ରୂପ,

ବିଶ୍ୱମୟ ଦିଶେ ବଦନ ।

ସେ କି ସୂର୍ଯ୍ୟେ ତେଜ, ପଦ୍ମେ

ଲାଜବୋଳା ମଧୁରିମା !

ସେ କି ସଞ୍ଜ ସକାଳର ସିନ୍ଦୁର-ସମ୍ପଦ,

ତାରାମଣି-ହାସ-ଗାରିମା !

ଜଳେ ଘନୀଭୂତ ନୀଳିମା !

ସୁଧା ଚନ୍ଦ୍ରମାରେ,

ବାସ ଫୁଲହାରେ,

ମରମରେ ପ୍ରୀତି-ପ୍ରତିମା !

 

(୨୩)

କେତେତୁ ଅନାଇ ବସୁ ଅକାରଣେ ଆଖି,

ଏ ଅନ୍ଧାର ତାରା ଚନ୍ଦ୍ର ଏ ଶର୍ବରୀ ସାକ୍ଷୀ ।

ଶତ ଶରତ ଗଲାଣି ବିଫଳି,

ବିଗତ ଶତ ବସନ୍ତ କୋକିଳ କାକଳି,

କୋଟି ପ୍ରାବୃଟ ଯାମିନୀ-ମେଘରେ ଦାମିନୀ

ଲୁଚିଲେ ଦେଖାଇ ଛଳି,

ବସିଛି ଏକା ନିରିମାଖୀ,

ନୟନର ଲୁହ ନୟନକୋଣରେ

ସଖୀ ! ସେ ଗଲାଣି ଲାଖି ।

ଅମୃତରୁ ସାର

ତା’ ନାମ କଣ୍ଠର

ଭୂଷଣ କଲିଣି ଏଣିକି,

ହେଉ ଯା ଦୂଷଣ,

ହେଉ ଯା କଷଣ

ତିଳେ ଭୀତି ନାହିଁ ତହିଁକି ।

ଯେଝା ଇଚ୍ଛା ଯାହା କହନ୍ତୁ,

ମୁଖେ ମୋ’ କେହି ନ ଚାହାନ୍ତୁ,

ଅଳିଆ ଜଞ୍ଜାଳେ      ଫିଙ୍ଗିଦେଇ ମୋତେ

ଅବଜ୍ଞାରେ ପାଦେ ଦଳନ୍ତୁ ।

ଅର୍କ୍ଷିତ ନିର୍ମାଖୀ ବୁଲିବି ସଂସାରେ

ଭିକାରୁଣୀ ବେଶେ ଦୁଆରେ ଦୁଆରେ,

ଭଙ୍ଗା କେନ୍ଦରାରେ ଗାଇବି ତା’ ନାମ

ପ୍ରାଣାରାମ ପ୍ରିୟ ଚିତ୍ତ ପ୍ରାଣାରାମ,

ସେତିକି ମୋ‘ ଧର୍ମ୍ମ ଧାରଣା,

ଯୋଗ-ଯାଗ, ଜପ-ତପ, କାଷ୍ଠା-ନିଷ୍ଠା

ପୂଜା-ପାଠ ମୋତେ ଅଜଣା ।

ମୋ ଦେବତା ମୋ ସଙ୍ଖାଳି,

ତା ବିନା ଶୂନ୍ୟ ମୋ ଚଉଦ ଭୁବନ,

ତା ବିନା ମୁଁ ଦୀନ କଙ୍ଗାଳି ।

କି ଲୋଡ଼ା ଅବା ମୋ ଚିତା ଚନ୍ଦନେ,

କି ଲୋଡ଼ା ମୋ ସ୍ତବ ସ୍ତୁତି ବନ୍ଦନେ,

ଫନ୍ଦା-ଧନପରି ହୃଦରେ ସଞ୍ଚିଛି

ଧ୍ୟାୟୁଛି ଜାଗରେ ଶୟନେ ।

ତା ବିନା ଚୌଦିଗ ଅନ୍ଧାର,

ମୋ’ ଅନ୍ଧ ଲୋଚନ

ରବି ସେ ମୋହନ,

ତା’ ବିନା ରିକ୍ତ ମୋ’ ସଂସାର ।

 

(୨୪)

ମାନସ-ମନ୍ଦିରେ       ପ୍ରେମ ସୁନ୍ଦର

ପ୍ରେମସୁନ୍ଦରେ ରାଜେ ରେ,

ମରମ-ତାରେ      ବାଜେ ମଧୁରେ

ପ୍ରେମସୁନ୍ଦରେ ବାଜ ରେ ।

ଦାମିନୀ କନକେ      ନୀରଦ ଶ୍ୟାମ,

ବସନ୍ତ ବନେ      ପୁଷ୍ପ-ଦାମ,

ଲତା ପତରେ,

ଗିରି ସାଗରେ

ପ୍ରେମ ସୁନ୍ଦର ସାଜେ ରେ !

ବିଶ୍ୱ ବଂଶୀରେ       ଅମିୟ ତାନ,

ରନ୍ଧ୍ରେ ରନ୍ଧ୍ର ତା’      ନାମ ଗାନ,

ହୃଦୟ କୁଞ୍ଜେ

ଫୁଟେ ମଞ୍ଜରୀ

ପ୍ରେମସୁନ୍ଦରେ ଲାଜେ ରେ ।

 

(୨୫)

ସଖି ! ସୁନ୍ଦର ବୋଲି କେ କହିବ,

ସୁନ୍ଦର କେ ଅଛି ତା ବିନା ଜଗତେ,

କାହିଁରେ ବା ମନ ମୋହିବ ?

ସେ ଥିଲାକୁ ଅବା ଫୁଲ ଦିଶେ ଚାରୁ,

ଶଶୀ ଶୋଭାମୟ ତା’ରି ସୁଷମାରୁ;

ମୁରଲୀ ତା’ ମୁଖେ ବାଜଇ ମଧୁରେ,

କି ମଧୁ କରିବି କଳନା,

ରୂପ-ସାଗରେ ମୁଁ ବୁଡ଼ି ତ ମଲିଣି,

କି ରୂପ ଦେଖିବି କହନା ।

ଚାରିଦିଶେ ଛୁଟେ ଆଜି ରୂପର ନିର୍ଝରୀ,

ରୂପେ ହସେ ଶଶୀ ସୁମନ, ଫୁଟେ ତାରା ମଞ୍ଜରୀ ।

ଅନନ୍ତ କାନ୍ତ ନୀଳିମା ଭାତି,

ଚିତ୍ତ ଉଲ୍ଲାସ ପୂର୍ଣ୍ଣିମା ରାତି,

ତଟିନୀ ଅଙ୍ଗେ

ରୂପ ଅଙ୍ଗେ

ଖେଳେ ଅମିୟ ଲହରୀ ।

 

(୨୬)

ମନେ ହୁଏ ଅବା ଛାଡ଼ି ଘରଦ୍ୱାର

ଅତିକ୍ରମି ଯାନ୍ତି ଅଖିଳ ସଂସାର;

ପହଞ୍ଚନ୍ତି ଅବା ଏପରି ଲୋକରେ,

ପାଆନ୍ତି ତାହାକୁ ସମଗ୍ର ପ୍ରାଣରେ;

ମୁଁ ତାହାର ସେ ମୋହର,

ଯୁକ୍ତ ବେନି ପରସ୍ପର,

ଅଭିନ୍ନ ଅଛିନ୍ନ ଯୁଗ ଯୁଗାନ୍ତରେ ।

ବିଶ୍ୱେ ସେ ଦିନ ଜାଗନ୍ତା କି ଗୀତ,

ଆକାଶୁ ଚାହାନ୍ତେ ତାରକା ଚକିତ,

ପ୍ରେମର ଜୟ

ମରଣର ଜୟ

ମହାକାଶ ତଳେ ଉଠନ୍ତା ସଙ୍ଗୀତ,

ଅଣୁ ପରମାଣୁ ହୁଅନ୍ତେ ନନ୍ଦିତ ।

ଦିଗନ୍ତେ ଦିଗନ୍ତେ ହୁଅନ୍ତା ପ୍ରଚାର

ଉର୍ମି ଛନ୍ଦେ ଛନ୍ଦେ ନାଚି ପାରାବାର

ବେଣୁ ବନେ ବାଜି ମଳୟ ଆକୁଳ

ଫୁଲେ ଫୁଲେ ଚୁମ୍ୱି ହୁଅନ୍ତା ଉତ୍‌ଫୁଲ୍ଲ;

ସେ ଦିନ ଆସିବ ସତେ,

ଦିନ ଗଣି ଗଣି ଚାହିଁବି କେତେ ମୁଁ

କହ କାହା ଆଶା ପଥେ ?

 

(୨୭)

ସେତ ଆଦରର ଧନମଣି !

ମୋ’ ପ୍ରାଣରତନ      ହୃଦୟମୋହନ

ପୂର୍ଣ୍ଣ ପ୍ରେମସୁଧା ଖଣି ।

ପରମ ସୁନ୍ଦର ପ୍ରେମ-ପ୍ରଭାକର

ମୋ’ ଆତ୍ମା-କମଳ-ବନ୍ଧୁ ସୁବିମଳ,

ମୋର ସର୍ବସାର       ଶକତି ଆଧାର

ପୁଣ୍ୟମୟ ଗୁଣମଣି ।୧।

ପବନେ ଉଛୁଳେ ତା’ ସ୍ୱର ଲହରୀ,

ଫୁଲେ ଫୁଲେ ଫୁଟେ ତା’ ରୂପ ମାଧୁରୀ,

ବାତୁଳ କଲା କି      ଅତୁଳ ଆନନ୍ଦେ

ମନ ମୋର ନେଲା କିଣି ।୨।

କି କହିବି ଆଉ ନ ଆସଇ କଥା,

ଚରାଚରେ ପରା ବାଜଇ ମୋ ବ୍ୟଥା,

ପୁଲକ ଆକୁଳେ      ଭାସେ ନେତ୍ରଜଳେ

ଦିବାନିଶି ଗୁଣ ଗୁଣି ।୩।

ଅସାର ସଂସାରେ ନାହିଁ ମୋର ଆଶ,

ମାଗେଁ ଶୀତ ଛାୟା ଶ୍ରୀପଦ-ସାରସ,

ସେ ଏକା ମୋ ଧନ ସେ ଏକା ମୋ ଧ୍ୟାନ

ଚିତ୍ତେ ପ୍ରେମ-ଚନ୍ତାମଣି ।୪।

 

(୨୮)

କିଶୋରି ଗୋ !

କାହିଁକି କାନ୍ଦୁତୁ ଏତେ କିଶୋର ଲାଗି ?

ବୀଣା ଯଦି ତାର ରାଗିଣୀ ତେଜନ୍ତା

ତୋତେ ସେ ପାରନ୍ତା ତ୍ୟାଗି ।

ସୁନ୍ଦରି ଗୋ !

ଫୁଲମାଳ ଫିଙ୍ଗି କହ କାହିଁ କେହି

ଅହିକି କରଇ ଗେଲ,

ହୀରକ ଭୁଲି କେ ଆଦରେ କରକା,

ସୁନା ପାସୋରି ରସେ ଭେଲ ?

ମାନିନି ଗୋ !

ବୃଥା ଅଭିମାନେ କିପାଁ ତୁ ମରୁ,

ଶିରୀ ଶୋଭାରାଶି ସାରୁ ଅଙ୍ଗରୁ

କିପାଁ ଝୁରୁ ଏତେ ଦିନଯାମିନୀ ଗୋ ?

ମୋହିନୀ ଗୋ ।

ତୋ’ ବିନା ଜୀବନେ ଶ୍ୟାମର କି ପ୍ରୟୋଜନ,

ତୋ ବିନା ଶ୍ୟାମର କି ପ୍ରେମର ଆୟୋଜନ ?

ଚିର ତରୁଣୀ ତୋ ରୂପ-ରାଜୀବର

ମଧୁକର ସିନା ହେ ସୁଜନ ।

 

(୨୯)

ଭୁଲାନା ଭୁଲାନା ସହି ଭୁଲିଛି ମୁଁ ବହୁତ,

ଶ୍ୟାମ କପଟ-ପ୍ରେମିକ ତୁ ନିଜେ କହୁ ତ !

ଗଳାରେ ସେ ଦେଇ ଛୁରୀ

ବିଜେ କଲା ନିଜ ପୁରୀ,

ଲି କି ବଞ୍ଚିଲି ଦିନେ ଆସି ନ ଖୋଳିଲା,

କମଳ ବିଳାସ ଅଳି-

ମଲ୍ଲୀମାଳେ ମଜ୍ଜିଲା ।

ନ ସହିବ ଏ କଷଣ ସବୁ ଭଲା ସହୁ ତ,

ପରେ କହିବ କଥା ଜୀବେ ଆଗେ ରହୁ ତ !

 

ନବ ନୀରଦ

 

ଜଣେ ଦେହ, ଜଣେ ଦେହରେ ଜୀବନ,

ଜଣେ ସ୍ନେହ, ଜଣେ ସ୍ନେହରେ ମୋହନ,

କେ କାହାର କେତେ କେ ପାରିବ କଳି,

କେତକୀ ତଳରୁ କେ ପୋଛିବ ଝଳି ?

କପୂର ଦେହରୁ କେ ହରିବ ବାସ,

ଗୋଲାପ ଲପନୁଁ ଛଡ଼ାଇବ ହାସ ?

 

(୩୧)

ହୃଦେ ଜାଗେ ଉଲ୍ଲାସ,

ଉଲ୍ଲାସ ଆଜି ଉଲ୍ଲାସ ।

ବରଷା ଦେଲାଣି ମଧୁବାରି ଧାରା,

ବସନ୍ତ ଦେଲାଣି ଫୁଲ,

ଶରତ ଦେଲାଣି ମେଘର ଶୁଭ୍ରତା,

ଶିଶିର ହିମାନୀ ଠୁଳ ।

ଆଜି ଆକାଶୁ ଓହ୍ଳାଇ ଆସ

ଆଲୋକ ଅମିୟ ପାଶ,

ନୟନ ମନର ଲାବଣ୍ୟ ପସରା

ମୁଖେ ଫୁଟୁ ମୃଦୁ ହାସ ।

ଫୁଟ ଲୋ କମଳ-କଳି,

ଗାଅ ରେ କୋକିଳ ଅଳି,

ଶଶୀତାରା-ହାରେ ରଚ ଗଳାହାର,

ତରଙ୍ଗେ ଦୋଳାଅ ବାସ ।

 

(୩୨)

ସେ କି ସୃଷ୍ଟି ରାଇଜେ ସାର !

ଦଳା କଜଳରୁ କଳା ଜୀମୂତରୁ ବଳେ ସୁଷମାରେ

ଚିକ୍‌କଣ ଚିକୁର ଭାର,

ସୁନା ଝଳି ଘେନି ଲବଣୀ ହୁଅନ୍ତା

କଳନ୍ତି ବା ରୂପ ତାର ।

ସତେ କେତକୀ କମଳ କାନ୍ତି

ଗୋଳି ହେଲେ ଅବା ଫୁଟି ଉଠନ୍ତା ସେ

ଅମୃତ ତନୁ ଭାତି ।

ମେଘ ଅଙ୍ଗେ ମିଶି ବିଜୁଳି ତରଙ୍ଗ

ଫୁଟନ୍ତା କି ଅରବିନ୍ଦ,

ତହିଁ ରସନ୍ତା କଳା ମିଳିନ୍ଦ ।

ଦେହ ସଉରଭ ଝୁରି

ଚନ୍ଦନେ ଚୁଆ କସ୍ତୁରୀ ।

ଗୋଳି ଦେଇ ତାର ପାଖୁଡ଼ା ପେଡ଼ିରେ

ନେଇ କେ ଦିଅନ୍ତା ଭରି ।

ଚରଣ ଚୁମ୍ୱଇଁ ଯହିଁ

ଚମ୍ପା ପଦ୍ମ ଫୁଟେ ତହିଁ,

ସୂର୍ଯ୍ୟ ତେଜରେ ଜ୍ୟୋସ୍ନା ବିକାଶେ

ଚଞ୍ଚଳା ସ୍ଥିର ରହି ।

ଗଜଗାମିନୀରେ ଗଳା ମୋତିହାର-

ଶିରୀକି ତାରକା ଲୋଡ଼ଇ ।

 

(୩୩)

ସଖା, ତାହାରି ପାଇଁକି ଝୁରି ଝୁରି

ସୁଧା ଢଳ ଢଳ

ଅଙ୍ଗ ନିରିମଳ

କୋମଳ କାଳିକୁ, ଦେଲୁ ସାରି

ବୁଲୁ ବନେ ବନେ ଉଦାସ ବଦନେ

ଛାଡ଼ି ତୋ’ ରୁଚିର ପୁରୀ ।

ତା’ର ନେତ୍ର ଛଟକେ ଅଟକ ପଡ଼ିଲୁ,

ହଜାଇଦେଲୁ ତୋ’ ଧୃତି,

ଆକଟ ନ ଘେନି ନିକଟେ ଗମିଲୁ,

ବଣାକଲୁ ଚିତ୍ତ-ବୃତ୍ତି ।

ଚପଳା ଲୀଳାରେ ଚିତ୍ତ ମଜ୍ଜାଇଲୁ,

ବଜର କଲୁଟି ସାର,

ମୃଣାଳିନୀ ମୋହେ କଲୁ କି ମୋହନ,

ଫଣିନୀକି ଗଳାହାର !

ସେତ ନ ଚାହିଁଲା ଫେରି ଠୁଳେ,

ତୋତେ ଛଳି ଚାଲିଗଲା ହେଳେ,

ତା’ର କୋମଳ ଚରଣ-କମଳ ତଳେ କି

ତୋ’ର ଶିଳା-ମନ ଦେଲା ଚୂରି !

 

(୩୪)

ଏଇପଥେ ଗଲା ଚାଲି,

ମରମେ ବାଜିଲା ବାସନା-କତୁରୀ

ଧୈର୍ଯ୍ୟ ମୋ ଦେଲା ଟାଳି ।

ଭୂଇଁରେ ଉଇଁଲା ସହସ୍ର ଶଶୀ,

ଶତ ତାରା ଅବା ପଡ଼ିଲେ ଖସି,

ନନ୍ଦନ ବନ ଫାଲ୍‌ଗୁନ ଶୋଭା,

ଅବନୀରେ ଦେଲା ଢାଳି ।

ଦେଖି ତ ଆଶା ନ ପୂରିଲା,

ବେନି ନୟନ ମୋ’ ଝୁରିଲା,

କ୍ଷଣେ ତାର ରୂପ ଦରଶନ ଆଶେ

ବୁଲିଲି ଦିବସ ଯାମିନୀ,

ବନେ ବନେ ନିତି ବଜାଇ ବାଂଶରୀ

ସୁମରି ସେ ରୂପ ଦାମିନୀ ।

ଯମୁନାର କୂଳେ କେତେ ନିଶି ଭୋଳେ

ଉଜାଗରେ ଦେଲି ସାରି,

କଦମ୍ୱ କମଳେ ଗୁନ୍ଥି ବନମାଳୀ

ଫିଙ୍ଗି ମୁଁ ଅଇଲି ଚାଲି ।

 

(୩୫)

ଯଦୁମଣି ! ତୋ ନୟନମଣି ସେ କେ ରମଣୀ

ଚିତ୍ତ-କୁମୁଦ-ମୋଦିନୀ, ଇନ୍ଦୁସୁଧା-ଖଣି ?

କିଏ ସେ ନବ ନଳିନୀ,

ନବ ରବି ବିନୋଦିନୀ,

କା’ ରୂପ କୁସୁମ-ଦାମେ ଅଳି ନୀଳମଣି ?

କିଏ ତୋ’ ବଇଁଶୀ ସ୍ୱର ବିଭାସ ରାଗିଣୀ

ନୀରବ ନିଶାର ସ୍ୱପ୍ନ କୁଞ୍ଜ ବିହାରିଣୀ

ମଧୁ ଯଉବନ-ତରଙ୍ଗ-ରଙ୍ଗିଣୀ

ଚାରୁ ସରିତର ପ୍ରଣୟ-ତରଣୀ ?

 

(୩୬)

ପ୍ରେମରାଇଜର ରାଜା ପାଶେ

ପ୍ରେମରାଇଜର ରାଣୀ

ନିଖିଳ ବିଶ୍ୱେ ଉଚ୍ଚାରିଲା ଯେବେ

ମିଳନ ମଙ୍ଗଳ ବାଣୀ

ସେ ଦିନ ସାଗର ତରଙ୍ଗ ରଙ୍ଗେ

ମିଶିଗଲା ମୃଦୁ ସରିତ ଧାର,

ନବ ନୀରଦରେ ମିଶିଲା ଛନକେ

ପୁଲକେ ଚମକ ବିଜୁଳି ହାର ।

ପ୍ରେମରାଇଜର ସୂର୍ଯ୍ୟ ପାଶେ

ପ୍ରେମରାଇଜର ଶଶୀ,

ନିଖିଳ ବିଶ୍ୱ ବାଜିଗଲା ଯେବେ ମିଳନ ମଙ୍ଗଳ ବଂଶୀ

ସେଦିନ ଗଗନେ ମଞ୍ଜୁଳାଲୋକେ

ଉଜ୍ଜ୍ୱଳ ଗ୍ରହ ତାରକାମାଳା,

ଲକ୍ଷ କୁସୁମ ଦକ୍ଷ ସଉରଭେ

ପୂର୍ଣ୍ଣ ପ୍ରଣୟର ବରଣ ଡାଲା ।

 

(୩୭)

ଗଲାଣି ସେ ଦିନ ସଖା ଗଲାଣି, ଗଲାଣି -

ପ୍ରାଣେ ଅଛି ମାତ୍ର ସ୍ମୃତି ତାର,

ମାନସ-ସଦନୁଁ ତାହା ନେଇଛି ମେଲାଣି,

ଅଛି ମାତ୍ର ମରମରେ ଗାର !

ସେଦିନ ଆହା ସେଦିନ କି ଦିନ ସେ-

ମୋ ଜୀବନ କ୍ଷୁଦ୍ର ପରିସରେ,

ମୋ’ ଜୀବନ ସମୀପ ବିସ୍ତାରେ

ସେ ଦିନ ଏ ଦରିଦ୍ରର କ୍ଷୁଦ୍ର କୋଠ ଘରେ

ସଞ୍ଚିତ ଅମୂଲ୍ୟ ନିଧି ଅପୂର୍ବ ରତନ ।

ସେଦିନ ଯେ ଦିନ ସଖା ଦୂର ଦିଗ୍‌ବଳୟେ

ଭାସି ଉଠୁଥିଲା କ୍ଷୁଦ୍ର ନକ୍ଷତ୍ର ମୂରତି,

କ୍ଷୀଣ ଜ୍ୟୋତିଃକଣା ତାର ନୟନର ପ୍ରିୟ,

ପ୍ରଶାନ୍ତ ସାଗର ନାମ ମାନସେ ସେଦିନ

ଉଠିଥିଲା କ୍ଷୁଦ୍ର ଏକ ଆକାଙ୍‌କ୍ଷା-ତରଙ୍ଗ

ଦୂରେ ସେହି ବହୁଦୂରେ ଦୂର ତମୋତଳେ

ଅର୍ଦ୍ଧାଲୋକେ ଦରସ୍ଫୁଟ ବଙ୍କିମ ଚନ୍ଦ୍ରମା

ଦ୍ୱିତୀୟାର ବାତାୟନ ବନ୍ଧେ ନିହି ଶିର

ମୋ ନୟନ ନିବଦ୍ଧ ସେ –

ଦୂରାଗତ ରଜତ ରଶ୍ମିରେ ।

ଅବା ପତ୍ର ଅନ୍ତରାଳେ ଅଳ୍ପ ଉନ୍ମୀଳିତ

ମଲ୍ଲିକାମଞ୍ଜରୀ –

ଧୀର ସାନ୍ଧ୍ୟ ସମୀରଣେ ଭାସନ୍ତା ସୌରଭ ।

କ୍ଷୁଦ୍ର ମୋ କଳ୍ପନା, କେତେ

ଉଠିବ ସେ ଉଚ୍ଚେ,

ପ୍ରାଣେ ଆଣି ସଞ୍ଚିବ କିପରି

ସୁଦୂର ତାରକା ଜ୍ୟୋତିଃ ଅପୂର୍ବ ଗରିମା ?

କାହୁଁ ପାଇବି ମୁଁ ଦୀନ

ନୃପ-ନିକେତନ-ଶୋଭୀ ମାଣିକ୍ୟ ମଞ୍ଜୁଷା ?

ବ୍ୟଥିତ ଅନ୍ତର ମୋର

କରୁଥିଲା କି କରୁଣେ ନୀରବ ବିଳାପ,

ଅନ୍ତର ଅନ୍ତରତମେ ତାର ଆତ୍ମାପୁରେ

ବାଜି ଉଠିଲା କି ମୃଦୁ ମଧୁର ଝଙ୍କାରେ

ପ୍ରତିଧ୍ୱନି !

ତଡ଼ିତେ ତଡ଼ିତ ଅବା କଲା ଆକର୍ଷଣ ।

 

(୩୮)

ସେ ଦିନ ସେ କଥା ସେ ପ୍ରେମବ୍ୟଥା

ସେ ମଧୁମିଳନ ମିଳିବ କି ?

(ସଖା ପୁଣି)

ସେ ରୂପ ସେ ରଙ୍ଗ ସେ ସୁଧାତରଙ୍ଗ

ସେ ଚାନ୍ଦିନୀ ଛଟା ଫୁଲ ବନେ

ଆଉ ଝଳିବ କି ?

ସେ କଳା ମେଘରେ ବିଜୁଳି ଚମକ,

ଯମୁନା କଲ୍ଲୋଳେ ଆକୁଳ ପୁଲକ,

ନୀପେ ଫୁଲ ସାଜ,

କିଶୋରୀର ଲାଜ

ମୟୁରର ନାଚ ତୋ’ ହୃଦେ ନାରାଚ,

ନୀଳ ନୟନେ ସେ ବିନ୍ଧିବ କି ?

ସେ ସଞ୍ଜ ଗୋଧୂଳି ଆକାଶର ଶୋଭା,

ସେ ପ୍ରୀତି-ବାତୁଳୀ ଶିରା ମନୋଲୋଭା,

ସେ କେଶ, ସେ ଦେଶ, ସେ ହାସ, ସେ ଭାଷ,

ଗଳାରେ ସେ ଭୁଜ ଛନ୍ଦିବ କି ?

ସେ ବାଣୀ, ସେ ଠାଣି, ସେ ବାଙ୍କ ଚାହାଣୀ

ଆଉ ଥରେ ଫେରି ଚାହିଁବି କି,

ସେ କୋହ, ସେ ଲୁହ, ସେ ମାନ, ସେ ସ୍ନେହ

ଆଉ ଏ ଜୀବନେ ପାଇବ କି ?

 

(୩୯)

ସତ୍ୟ ସଖା !

ଦୂରବନ ଅନ୍ତରାଳେ ବାଜିଥିଲା ବିନୋଦିଆ ବୀଣା ।

ଚାହିଁଥିଲା ଚକିତେ ଉନ୍ମନେ,

ଅଶରୀର ସ୍ୱର ମାତ,

ଭେଦିଥିଲା ମର୍ମ୍ମ ରନ୍ଧ୍ରେ, ରନ୍ଧ୍ରେ,

ଆତ୍ମହରା ଏ ଅନ୍ତର,

ଦେହ-ପିଞ୍ଜରୀରୁ ଫିଟି ପଳାଇଥିଲା କି

ଚେତନା-ସାରିକା !

ସ୍ପନ୍ଦନେ ସ୍ପନ୍ଦନେ ହୃଦେ ଉଠିଥିଲା ଉର୍ମ୍ମି !

ରୋମାଞ୍ଚ ସ୍ୱେଦିତ ଦେହେ ପ୍ରଫୁଲ୍ଲ ନୟନେ

ଚାହିଁଥିଲି ସ୍ୱରଧାରା ନୀରଝରା ସନ୍ଧାନରେ,

ବହିଥିଲା ପ୍ରାଣେ ପ୍ରେମ-ଫଲ୍‌ଗୁ

ଅଜ୍ଞାତେ ଗୋପନେ ହୃଦ-ବାଲିଶେଯ ତଳେ

ଗଣ୍ଠିଧନ ସରି ତାହା ଲୁଚାଇଥିଲିଟି

ଲୋକଲୋଚନରୁ ।

ସଂସାର ସେଦିନ ମୋ’ ମାନସ ପଟୁଁ

ପୋଛି ଯାଇଥିଲା ପରା

ଅପୂର୍ବ କି କୁହୁକ ଇଙ୍ଗିତେ

ନ ଜାଣେ ମୁଁ ଥିଲି କିବା ସଶରୀରେ

ଧରଣୀର କ୍ଷୁଦ୍ର ପ୍ରାଣୀ ସମ

କ୍ଷୁଦ୍ର ନ୍ୟାୟାନ୍ୟାୟ କ୍ରୁର

ବେଷ୍ଟନୀର କଠିନ ଶୃଙ୍ଖଳେ ।

ସେଦିନ ଉଦାସ ଯୁବା ଆତ୍ମହରା, ଲୀନ ଯାର

ଅନ୍ତର ଚେତନା-

ଚେତନାର ମହା ପାରାବାରେ,

ଶରୀର ବନ୍ଧନ ଯା’ର ଥିଲା ମାତ୍ର ନୟନର ଭ୍ରମ,

କାହିଁ ସେ ବିହରୁଥିଲା କଳ୍ପନାର କଳ୍ପଲୋକେ

ମୁକ୍ତିର ଆନନ୍ଦ ସ୍ୱାଦେ ଅଧୀର ଉନ୍ମତ୍ତ ।

ଚିର ଅଭ୍ୟୁଦୟେ, ଚିର ଜନମେ ମରଣେ

ସୀମାହୀନ ଅନନ୍ତ ଆକାଶେ

ବିହରୁଥିଲେ କି ବେନି ଲୋକୁଁ ଲୋକାନ୍ତରେ

ବେନିର ଉଦ୍ଦେଶେ !

ଅପୂର୍ବ ମିଳନେ କ୍ଷଣେ ମିଳିଲେ କି ବେନି

ପରସ୍ପର ଅଙ୍ଗେ

କେନ୍ଦ୍ରଚ୍ୟୁତ ଗ୍ରହଦ୍ୱୟ ମହା ବିସ୍ପୋରଣେ !

କି ଉଦ୍ଭ୍ରାନ୍ତ କି ଉଦ୍ଦାମ କି ଅପୂର୍ବ

ରହସ୍ୟମଣ୍ଡିତ,

ବଜ୍ରବହ୍ନି ସମ୍ମିଳନ ସେ କି, ଶତସୂର୍ଯ୍ୟ ସନ୍ଦୀପୀତ !

ଅବା ମହାର୍ଣ୍ଣବ ତୋଳି ବୀଚିମାଳା ବାହୁ

ଆଲିଙ୍ଗନ ଆଶେ ଆକୁଳିତ ପୂର୍ଣ୍ଣ କଳାକରେ !

କି ବିଶାଳ ଉନ୍ମାଦନା ପ୍ରାଣେ ପ୍ରାଣେ !

 

(୪୦)

ସାଧିବଟି ବାଦ ଜଗତର ବାଧା,

(ତୋର) ଶରଧା ଯିବଟି ସରି,

ସୁନ୍ଦରେ ସୁନ୍ଦରେ ମୋହନ ମିଳନ

ସଂସାରେ ସ୍ୱପନ ପରି ।

କଳା କୁବଳୟେ କନକ କିରଣ !

ମଉଳି ଯିବଟି ଝଳି,

ଝଟକ ହାଟକ କେତକୀର କୋଳେ

ପଶିବକି ନୀଳ ଅଳି !

ଶରଦର ଶ୍ୟାମେ ବସନ୍ତ କୁସୁମ

ସହ ପାରିବେଟି ଅରି ?

ସାଧିବଟି ବାଦ ଜଗତର ବାଧା

(ତୋର) ଶରଧା ଯିବଟି ଭାଙ୍ଗି,

ବେଳହୁଁ ଭୁଲିଯା ଦଳା ହରିତାଳ -

ଢଳା ଅଙ୍ଗ ଚଳାପାଙ୍ଗୀ ।

ଚାରୁ ଚାମୀକର-ବରବରନାକୁ

କଜ୍ଜ୍ୱଳେ କି ଦେବୁ ବୋଲି,

ଚାନ୍ଦିନୀ ନିଶାର ରଜତର ଧାର

କଳା ମେଘେ ଦେବୁ ବୋଳି,

ଚାନ୍ଦିନୀ ନିଶାର ରକତର ଧାର

କଳାମେଘେ ଦେବୁ ଗୋଳି ?

ଛଳ ଶ୍ଳେଷଗିର ନିଦାଘ ନିଶ୍ୱାସେ

ଶୁଖିଯିବ ଶିରୀଷାଙ୍ଗୀ !

 

(୪୧)

ଜଗତର ବାଧା !

କ୍ଷୀଣ ବାଲିବନ୍ଧ ମାତ୍ର

ଖରସ୍ରୋତା ଜାହ୍ନବୀ ମୁହାଣେ ।

ଅନନ୍ତ ସାଗର ଘୋଷ ପଶେ ଯହିଁ

ଶ୍ରବଣ ବିଦାରି,

କମ୍ପିଉଠେ ଦିଗଦିଗନ୍ତରେ ଗଭୀର ଗର୍ଜ୍ଜନେ,

ତହିଁ ଜଗତର ବାଧା !

କ୍ଷୁଦ୍ର ଅତି ତୁଚ୍ଛ ଅତି ଜଗତର ବାଧା ।

ଅନଳ ଉଚ୍ଛାସ ଯହିଁ ଆଗ୍ନେୟ ଶଇଳେ,

ଅନନ୍ତ ଆକାଶ କୋଳେ ଉଲ୍‌କାର ବିହାର,

ଉର୍ମିଳା ନର୍ତ୍ତନେ ଉଠେ ବାଡ଼ବର ଶିଖା,

ତହିଁ ଜଗତର ବାଧା !

ଘନେ ଦାମିନୀସ୍ପୁରଣେ,

କମ କିଶଳୟ କୋଳେ ମଲ୍ଲିକା ବଦନେ,

ଚାନ୍ଦିନୀ ଚୁମ୍ୱନେ ଜାଗେ ଜଗତର ବାଧା !

କନକ ମଞ୍ଜରୀ ଶସ୍ୟେସମୀର ଆଶ୍ଳେଷେ,

ତହିଁ ଜଗତର ବାଧା !

 

(୪୨)

ଜଗତ ଜଞ୍ଜାଳ ଯାକ ଆରେ ବନ୍ଧୁ,

ଦେ ଫିଙ୍ଗି ଦୂରେ, ଦୂରେ,

ବାଜୁରେ ବାଜୁରେ, ମଧୁରେ ମଧୁରେ

ମୁରଲୀ ମରମ ପୁରେ ।

ହସୁରେ ହସୁରେ ଫୁଲଯାକ ଫୁଟି,

ରସୁରେ ଅଳି ମଧୁପାକ ଲୁଟି,

ଜଗତର ଜ୍ୱାଳା ମନୁ ଯାଉ ତୁଟି,

ଜଗତଟାକୁ ତୁ ଦେ ଫିଙ୍ଗି ଦୂରେ !

ଜଗତଟା ସେତ ଅତି ପୁରୁଣା,

ଅତି ଅରସିକ ଅତି ନିଉଛୁଣା,

ଜଗତ ବାଧାରେ ନ କରଟି ଉଣା

ଶରଧା ତୋହର ବନ୍ଧୁ ରେ !

ଜଗତଟାକୁ ଦେ ଫିଙ୍ଗି ଦୂରେ,

ଦୂରେ ! ଦୂରେ ! ଦୂରେ !

 

(୪୩)

ଜଗତ ଫିଙ୍ଗିବି କାହୁଁ ?

କାହିଁ ଦଳ ମୋ ?

ଫିଙ୍ଗି ଦେଇଥିଲି ମାତ୍ର ଦେହ ମନ ଦୁଇ,

ତା ଥିଲା ମୋ’ ସାଧ୍ୟେ

ନିଜକୁ ପାସୋରି ପ୍ରିୟା ପାଦପଦ୍ମତଳେ !

ଆତ୍ମା ଦେବା ନ ଥିଲାଟି ଲୋଡ଼ା,

ଆଗହୁଁ ସେ ମିଶିଥିଲା ତାର ଆତ୍ମାସଙ୍ଗେ

ଜନ୍ମସୀମାରେଖା ଠାରୁ ବହୁଦୂରେ

ବିସ୍ମୃତି ଅତଳେ ।

କେବେ ଭିନ୍ନେ ବହିଥିଲା ଧାରା ବେନି ଜୀବନର

କେ ଜାଣେ, କେ ଜାଣେ ?

ବିଚ୍ଛେଦର ସେହି ବିଷାଦ ମୁହୂର୍ତ୍ତେ

ମେଲାଣି ମାଗନ୍ତେ ଯହିଁ ପଡ଼ିଥିଲା ଭାଙ୍ଗି

ଆତ୍ମା ଦୁଇ, କେ ଜାଣେ ସେ କେଉଁ ରାଇଜରେ

ହୋଇଥିଲୁଁ ଛିନ୍ନ, କ୍ରୁର କାଳ-କରାଳ ନିୟମେ,

ଚନ୍ଦ୍ରଅଙ୍ଗୁ ଚନ୍ଦ୍ରିମା ଶୀତଳ !

ତଥାପି ମଙ୍ଗଳମୟ ସେ ବିଧାନ

ଉଜଳିଲା ଆଜି ଜଡ଼ ପିଣ୍ଡ

ଅମୃତ ଆଲୋକେ ମମ,

ମର୍ମ୍ମ ବାଜଣାରେ ଯୋଖିଦେଲା ଅମୃତ ରାଗିଣୀ,

କୁସୁମ ଭରସେ ଦେଲା ସିଞ୍ଚି ନୀହାର କଣିକା

ସୁବାସେ ଦିଗନ୍ତ ମୋହି

ଚନ୍ଦନ ଘର୍ଷଣେ ଶିଳାପଟେ !

 

(୪୪)

ଜାଣୁ ଏତେ କବିତା ତୁ

ଜାଣୁ ଏତେ ରଙ୍ଗ,

କହ ପ୍ରେମିକ ନ ଲଭେ କିପାଁ ପ୍ରେୟସୀର ସଙ୍ଗ ?

ଇନ୍ଦୁଲାଗି ସଞ୍ଚଳିତ ସାଗର ଲହରୀ,

ଅକାରଣେ ରାହୁ ମୁଖେ ପଡ଼େ ସୁଧା ଝରି,

ଦୂର ମେଘଲାଗି ନାଚେ ମୟୁରର ହିଆ,

ଅଳିର ଚୁମ୍ୱନ ବିନା କୁଞ୍ଜେମରେ କିଆ;

ଜଳଦ ଆଦରେ ମାତ୍ର ଚାତକ ବେଦନା,

କଳାନାଗ ଶୁଣେ କେତକୀର କକର୍ଥନା !

ମଙ୍ଗଳ ବିଧାନ ଏ କି କହିବାରେ ଭୁଲେ

କର୍କଶ କଣ୍ଟକ ଯହିଁ ରାଜେ ଫୁଲେ ଫୁଲେ !

ଏତେ ପ୍ରେମ, ଏତେ ଆଶା,

ତହିଁ ନିତି ଏତେ ଭଙ୍ଗ !

 

(୪୫)

କିପାଁ ବାଜୁ ଗୋ ମୁରଲୀ

ମର୍ମ୍ମବେଦନା ବଢ଼ାଇ ?

ଅଥୟ ମନ ମୋହର,

ଆଣନ୍ତି ସ୍ୱର ଛଡ଼ାଇ !

ହୁଅନ୍ତି ମୁରଲୀ ଖଣ୍ଡ,

ଲଭନ୍ତି ଅଧର ଦଣ୍ଡ,

କିପାଁ ମାନବଜନମ ଯାତନା ପାଉଛି

ବଂଶକୁଳେ ଜନ୍ମ ନ ପାଇ ?

ଅନ୍ତରେ ମୋହର ଯେତେ ଯେତେ କଥା

ଯେତେ ସକରୁଣଖେଦ ଲାଜ ବଥା

ସ୍ୱର-ତରଙ୍ଗରେ ଝରି ଝରି ପଡ଼ି

ଦିଅନ୍ତା ବିଶ୍ୱ ବୁଡ଼ାଇ !

 

(୪୬)

ବାଜ ରେ ରସରାଜ, ବାଜରେ ବଂଶୀ ବାଜ !

ବ୍ରଜ କୁଞ୍ଜେ କୁଞ୍ଜେ ବାଜରେ ବଂଶୀ ବାଜ !

ସେ ମୋହନ ତାନେ

କାନନ ବିତାନେ

ପ୍ରେମଲତିକା ପ୍ରାଣେ

ଫୁଟେ ରେ ଫୁଲ କଳି,

ଗାଉ କୋମଳେ ଅଳି,

ମଞ୍ଜୁଳ ଦଳେ ଢଳି

ଉଠୁରେ ଆନନ୍ଦ ଝଳି

ନନ୍ଦନ ଶୋଭା ସାଜ ।

ସେ ମୋହନ ସ୍ୱନେ

ଯମୁନା ଜୀବନେ

ପ୍ରୀତିକମ୍ପିତ ପଦ୍ମବନେ ଛନ ଛନେ

ନାଚ ରେ ଭଙ୍ଗେ ଭଙ୍ଗେ

ନୀଳ ରତନ ରଙ୍ଗେ,

ନିର୍ମ୍ମଳ ଚଞ୍ଚଳ ବୀଚି

ନାଚରେ ନାଚ ନାଚ ।

ସେ ମୋହନ ଛନ୍ଦେ କିଶୋରୀ ଗଣ୍ଡେ

ଫୁଟି ଉଠୁରେ ମଧୁରିମା ପ୍ରେମାନନ୍ଦେ

ଲାଜ ଲଳିତ ଲାଲି

ଲାଜ ପାଟଳ ସାଜ

ଲାଜର ଗୋଲାପ ଫୁଲ

ଲାଜରେ ଲାଜ ଲାଜ !

 

(୪୭)

କିଏ ତୁ ଗାଉ ରେ ଗୀତ ଘନକାଳିଆ !

କିପାଁ ବଜାଉ ବଇଁଶୀ ବନମାଳିଆ !

ଯା’ ରେ ଚାଲି ଯା’ ରେ ଚାଲି,

ଚିତ୍ତ ତା’ ପକାନା ଜାଳି,

କାନ୍ଦେ ସେ କମଳମୁହୀଁ

ତା’ ଶ୍ୟାମସୁନ୍ଦରେ ଭାଳି !

ଦେ’ନା ଦୁଃଖ ଯା’ରେ ଚାଲି,

ଯା’ରେ ଚାଲି ଯାଆ,

ଯା’ ରେ ଚାଲି, ଯା’ରେ ଚାଲି

ଯା’ରେ ଯା’ତୁ ଜଞ୍ଜାଳିଆ !

 

(୪୮)

ସହି ! ନ କର ନ କର ମନା

ସେତ ମୋ’ ଶ୍ୟାମଧନ,

ତା’ ବିନା ବଜାଇବ କେ ମୁରଲୀ

ଏଡ଼େ ମୋହନ !

ତାହାରି ଆଶାରେ ସହି,

ଦେହଭାର ଅଛି ବହି,

ବରଷ ବରଷ ମୋର,

ତା’ ଲାଗି ଦୁଃଖ ଘୋର,

ତାହାରି ସ୍ମୃତିରେ ମୋର

ବଞ୍ଚିଛି ଜୀବନ,

ସେତ ମୋ’ ଦିବସ ଧ୍ୟାନ

ନିଶାର ସ୍ୱପନ ।

 

(୪୯)

ପୂର୍ଣ୍ଣ ଆଜି ସୁନ୍ଦର ହେ

ପୂର୍ଣ୍ଣ ଆଜି ମିଳନ,

କଣ୍ଠ ଲଭିଲା ହଜିଲା ସ୍ୱର

ରକ୍ତେ ଜାଗିଲା ସ୍ପନ୍ଦନ !

ଯାହା ଯହିଁ ଥିଲା ଦୀନ

ନିମୀଳତି ଅତି ହୀନ,

ପରଶ-ରତନେ ଲୁହା ଆଜି ସୁନା

ପାବନ ଚିତ୍ତ ପାବନ !

ଅନ୍ଧ ନୟନେ ଦର୍ଶନ ଆଜି

ଅବଶ ଅଙ୍ଗେ ଚେତନ,

ଶୈଳକନ୍ଦରୁ ନିର୍ଝରିଣୀର

ମୁକ୍ତ ଆଜି ବନ୍ଧନ ।

 

(୫୦)

ନୀଳ ନୀରଧରେ

ସୁବର୍ଣ୍ଣ ତରଣୀ

ରୂପ ପସରାର ଭାସିଲା,

ନନ୍ଦନ ବନୁଁ

ମନ୍ଦାରମାଳା

ପ୍ରୀତି ଉପବନେ ଖସିଲା ।

ଅନନ୍ତ ତୋର

ଅୟସ ଯନ୍ତରେ

ଲଳିତ ରାଗିଣୀ ବାଜିଲା,

ହୃଦ-ମରୁବାଲି

ଅନ୍ତର କାନ୍ତାରେ

ବସନ୍ତର ଶିରୀ ସାଜିଲା

ଆଖିରେ ଖେଳିଲା

ବିଧୁର ସୁଧାଂଶୁ

ରକତେ ବିଜୁଳି ସଞ୍ଚରି,

ମରମେ ଜାଗିଲା

ଅମିୟ ସଙ୍ଗୀତ,

ଫୁଟିଲା ପ୍ରଣୟମଞ୍ଜରୀ

ନିର ପିପାସିତ

ହିଆ ମୋର ଆଜି

ଲଭିଲା ଅମୃତ ଆସ୍ୱାଦ,

ଚିର ବନ୍ଦି ଆଜି

କାରାଗାର କୋଣୁ

ଲଭିଲା ମୁକ୍ତିର ଆହ୍ଲାଦ ।

 

(୫୧)

ପ୍ରୀତି-ବାତୁଳ କି ସତେ ଶ୍ୟାମ ଏ ପ୍ରେମମଞ୍ଜୁଳାର,

ମୃଦୁଳା ଶିରୀଷ ତୁଳା ଲହୁଣୀ ପିତୁଳାର !

ତୁମ ଲାଗି ପାଗଳିନୀ,

କୋମଳା କୁଳକାମିନୀ,

କଲାଣି ଦିନ ଯାମିନୀ

ତୁମ ନାମ ଗଳାହାର

ତୁମେ କି ତା’ ଲାଗି ସତ

ଭାବିତ ଦିନେ କହ ତ,

ସାରିଛି ସେ ତା’ ମହତ,

ଏବେ କାନ୍ଦଣା ଯେ ସାର;

ଗଞ୍ଜଣା ହେଲାଣି ଭାର,

ସାର ମାତ୍ର ଲୁହଧାର ।

ପ୍ରୀତି-ବାତୁଳ କି ନୀଳମଣି ଏ ହେମପ୍ରତିମାର

ଚମ୍ପା ଚହଟ ସୁଷମା ଏ ରୂପ ପୂର୍ଣ୍ଣିମାର !

ନିଅ, ନିଅ, ତେବେ ବନ୍ଧୁ,

କୋଳେ ଏ ଅମିୟ ଇନ୍ଦୁ,

ସିନ୍ଧୁ ଉର୍ମ୍ମି ଛନ୍ଦେ ନାଚୁ

କୁନ୍ଦ ଶୋଭା ଜୋଛନାର ।

ଦେଖ ଦେଖ ଦେଖ ଦୁହେଁ

ଏକ, ଏକ ଦୁଇ ନୁହେ,

ଏକ ଆତ୍ମା ଦୁଇ ଦେହେ

ଚିର ଏ ତାର ସେ ତାର,

ରବିରେ ରଶ୍ମିହାର ।

 

(୫୨)

ହୃଦେ ଥିଲା ମମ

ଅପୂର୍ଣ୍ଣ ବାସନା-

ରାଇଜରେ ସିଂହାସନ,

ଶକ୍ତିମୟୀ ନିଜେ

ବିଜେ ଗଉରବେ

ଚରାଚର ବିନୋଦନ ।

ଚନ୍ଦନ ତରୁ

ମଳୟ ପରଶେ

ଗନ୍ଧେ ମୋହିଲା ମାନସ,

ପ୍ରେମ-ମୃଣାଳିନୀ

ବୃନ୍ତେ ଫୁଟିଲା

ସୁଧା ମକରନ୍ଦ ସାହସ ।

ହୃଦ କୁମୁଦ ମୋ’

କୌମୁଦୀ ଆଶାରେ

ସାରା ନିଶି ଥିଲା ଜାଗି,

ଘନ ବନ କୁଞ୍ଜେ

ସେ ବଂଶବୀଥିରେ

ଗୋପନ ମୁରଲୀ ପ୍ରାଣ

ଦକ୍ଷିଣା ପବନ

ଚମ୍ୱନ ମୃଦୁ

କଲା ମଧୁସ୍ୱନ ଦାନ ।

ଡାଳେ ଡାଳେ ଥିଲା

ଗହଳ ପଲ୍ଲବ,

ଲୋଡ଼ୁଥିଲେ ଫୁଲ ଭୂଷା,

ଅନ୍ଧକାର କୋଳେ

ତରୁଣ ତପନ

ରଙ୍ଗେ ଆଲିଙ୍ଗିଲା ଉଷା ।

ହୃଦ-ଚିତ୍ରପଟ

ଝରୁଥିଲା ପରା

ରଞ୍ଜନ କର ତୂଳି,

ନବ ବାରିଦର

ଆଶାରେ ଥିଲା କି

ନିଦାଘେ ଧରା ମଉଳି ?

 

(୫୩)

କି ଲାଗି ହେ ନବଘନ

ରସିଲ ରାଈମଣିରେ,

ଭୁବନମୋହନ ରୂପେ

ଜଗତ ପାର ଜିଣି ରେ ।

ମେଘରେ ମୟୁର ଆଶ,

କୋଳେ ତା ବିଦ୍ୟୁବିଳାସ,

ଭୁଲାଇ ପାରିବ ନିକି

କେକୀ ତା’ ନାଚଠାଣିରେ ?

କାଇଁଚ ଖୋଳିବ ସୁନା

ମଣି ପବି ଯହିଁ ଚୂନା,

ଉଚ୍ଚରେ ଆଦରି ଉଣା

ମରିବ ଜାଣି ଜାଣିରେ ।

 

(୫୪)

ସେ ତ ଜୀବନର ସଞ୍ଜୀବନୀ,

କି ଲାଗି ଅୟସ

ରସେ ପରଶରେ

ଚିତ୍ତେ କି ଚିନ୍ତିବ ଧନି !

ସେ ତ ଜୀବନେ ଜୀବନ ମନ୍ତ୍ର,

ସ୍ୱର ତରଙ୍ଗର

ବିରତ ମୂର୍ଚ୍ଛନା

ପାସୋରିପାରେ କି ଯନ୍ତ୍ର ?

ସେ ତ ଜୀବନେ ଜୀବନ ପାଶ,

ଆଖିରେ ଆଲୋକ

ଅନ୍ତରେ ପୁଲକ

ତାହାରି ଅମିୟ ହାସ ।

ତା’ ପ୍ରେମ-କୁସୁମ କୋଳେ

ଜନମ ଜନମ

କାମନା ବାସନା

ଆକୁଳ ଆନନ୍ଦେ ଦୋଳେ ।

 

(୫୫)

ଆଜି ଆଣ ହେ ମାଳତୀ କୂଞ୍ଜ ଲତିକା

ସଜ ସୁମନର ମାଳି,

ଅର୍ଘ୍ୟ ଚନ୍ଦନେ ସାଜିବା ତାହାରି

ପ୍ରଣୟର ହେମ ଥାଳି ।

ହେମନ୍ତ ଦେଉ ତା ଧାନର ଗୁଚ୍ଛ,

ବରଷା ତା ଦୂର୍ବାଦଳ

ବସନ୍ତ ଦେଉ ତା ଫୁଟନ୍ତା କମଳ,

ଶରତ ତା ଶୁଭ୍ର ଜଳ ।

ତାରା ଦେଉ ତାର କନକ ହାସ,

ମଳୟ ତା ମଲ୍ଲୀଗନ୍ଧ,

ମେଘ ଦେଉ ତାର କଜ୍ଜ୍ୱଳ ଶୋଭା,

ତଟିନୀ ତା ନୀର ଛନ୍ଦ ।

ଇନ୍ଦୁଦେଉ ତା ଜ୍ୟୋସ୍ନା-ପୀୟୁଷ,

ତପନ କିରଣମାଳା,

ନୀହାର ଆଣୁ ତା ମୋଦି ଜ୍ୟୋତି,

ବହ୍ନି ବିରହ ଜାଳା ।

ବିଜୁନି ଖେଳାଉ ତା’ ଲୀଳା ଚମକ,

ବଜ୍ର ଦେଉ ତା ଡାକ,

ସୁଷମା-ରାଇଜ-ରାଣୀକୁ ରସାଇ

ଫୁଟିଉଠେ ଫୁଲଯାକ ।

ସାଗର-ତରଙ୍ଗ ଫେନପୁଞ୍ଜେ ତା’ର

ଚରଣ ପଖାଳି ଯାଅ,

ବନ କୁଞ୍ଜେ କୁଞ୍ଜେ ତା’ର ନାମେ ସଙ୍ଗୀତ

ମଧୁରେ ବିହଙ୍ଗେ ଗାଅ ।

 

ନୀରପାନ

 

ଆତ୍ମା ଚିହ୍ନିଲା      ଆତ୍ମାର ସାଥୀ,

ନ ଫୁଟିଲା ମୁଖେ କଥା,

ସରିତ ଚିହ୍ନିଲା      ସାଗର ତରଙ୍ଗ,

ପାଦପ ଚିହ୍ନିଲା ଲତା ।

ଦୀପ ଆଲଙ୍ଗିଲା      ଅନଳ ଶିଖାଟି,

ହେମ ଆଦରିଲା ହୀରା,

ରକ୍ତେ ଛୁଟିଲା       ଉଷ୍ଣ ଆନନ୍ଦ

ଚମକାଇ ଶିରା ଶିରା ।

 

(୫୭)

ନ ଥାନ୍ତା ରେ ଯଦି

ଘନ ଅନ୍ଧକାର

କେ ବୁଝନ୍ତା

ଦିନମଣି ସନମାନ ?

ନ ଥାନ୍ତା ରେ ଯଦି

ନିଦାଘର ଖରା

ଧରା କି ରସନ୍ତା

ବାରି ଝରା ତାନ ?

ବିରହ ଦହନେ

ନ ତାତିଲେ ତନୁ

ମିଳନ ମାଧୁରୀ

ପାସୋରନ୍ତା ମନୁ,

ବଜର ନ ଥିଲେ

ବରଷନ୍ତା ଘନୁ

ସୁଧା ରସଧାରା

କେ କରନ୍ତା ପାନ ?

ନ ବହନ୍ତା ଯଦି

ନିରାଶାର ଲୁହ

ନ ଫୁଟନ୍ତା ଛାତି

ନ ଉଠନ୍ତା କୋହ,

ନ ଥିଲେଟି ବିଷ

କୁଳିଶ ବେଦନା

କୋମଳ ସାନ୍ତ୍ୱନା

ଚାହାନ୍ତା କି ପ୍ରାଣ ?

ପାପୀର ଅନ୍ତରେ

ପୁଣ୍ୟର ଅମୃତ

ନ ଥାନ୍ତା ରେ ସତ୍ୟ

ନ ଥିଲେ ଅନ୍ୱତ,

ନ ଥାନ୍ତାରେ ଧର୍ମ୍ମ

ନ ଥାନ୍ତା ରେ କର୍ମ୍ମ

ଭକ୍ତ ନ ଥିଲେ କି

ଥାନ୍ତେ ଭଗବାନ ?

 

(୫୮)

ଶାନ୍ତ ସୁନ୍ଦର ଛନ୍ଦେ

ନନ୍ଦେ, ନନ୍ଦେ, ନନ୍ଦେ

ନିଖିଳ ବିଶ୍ୱ ନିବିଡ଼ ଆନନ୍ଦେ

ଚରଣ ବନ୍ଦେ ବନ୍ଦେ ।

ଶତ ଚିତ୍ତ ତରଙ୍ଗିତ ସଙ୍ଗୀତ

ଶତ ଶୁଭ୍ର ସୁମନ ସୁବାସିତ

ଶତ ସରିତ ନୀର ଅମୃତ

ବରଷେ ଶ୍ରୀପଦ ଅରବିନ୍ଦେ ।

କୋଟି କନକ ତାରାମାଳୀ

କାନ୍ତି କଳାକର ଭାସ୍କର ଥାଳୀ

ପୂଜା ଅଞ୍ଜଳି ପୟରେ ଢାଳି

ସ୍ତବ୍‌ଧ ହୃଦ ନିଷ୍ପନ୍ଦେ ।

କାନନ ଗହନ ଗିରିଶ୍ରେଣୀ

ନୀଳ ନୀରଧି ତରଙ୍ଗ ବେଣୀ

ନୀଳ ନୀରଦ ନୀଳ ସମ୍ପଦ

ମୁଗ୍‌ଧ ପରମ ଆନନ୍ଦେ ।

 

(୫୯)

ଆଜି ରାଜେ ନବ ସାଜେ ସୁନ୍ଦର ସୁଧା ଆନନ୍ଦେ ।

ଉଜ୍ଜ୍ୱଳ ଆଜି ସୂର୍ଯ୍ୟ ଚନ୍ଦ୍ର ତାରା,

ନିର୍ମ୍ମଳ ଆଜି ପୁଲକିତ ଧରା,

ଚଞ୍ଚଳ ଆଜି ନଦୀ ବନରାଜି

ଫୁଲ୍ଲ କୁସୁମ ସଉରଭେ ସାଜି,

ବନ୍ଦେ କାହାର ପରାରବିନ୍ଦେ ସୁଧା ଆନନ୍ଦେ ।

ତୋଳେ କୋକିଳ ପଞ୍ଚମେ ତାନ,

ଦୋଳେ ସଧୀରେ ଲତା ବିତାନ,

ଗୁଞ୍ଜରେ ଅଳି ଫୁଲେ ଫୁଲେ ଢଳି,

ସୁଧାକର ଧାରା ଢାଳେ କରମାଳୀ,

ସଞ୍ଚରେ ସମୀର ମନ୍ଦେ ମନ୍ଦେ ସୁଧା ଆନନ୍ଦେ ।

 

(୬୦)

ଆହା ଶୁଣିଲି ସତେ କି ଗାନ !

ସ୍ୱରଟି ରହିଲା ମରମରେ ଜାଗି,

ଭୁଲିଗଲି କଥାମାନ ।

କେଉଁ ଦୂର ବନେ ବାଜିଲା ବୀଣା,

କାନେ ନ ପଶୁଣୁ ମରମଜିଣା,

କେତେ ଯେ ବିଷାଦ

କେଡ଼େ ଅବସାଦ

ଶୁଣି ସେ ଲଳିତ ତାନ ।

ମୋ ଜୀବନକୁଞ୍ଜେ ରାଗିଣୀ ତାର,

ଗଗନେ ପବନେ ଶୁଣେ ସେ ସ୍ୱର,

ଭ୍ରମର ଗୁଞ୍ଜନେ

କୋକିଳ ପଞ୍ଚମେ

ତା’ ସୁକଣ୍ଠ କରେ ଜ୍ଞାନ ।

ଜାଗ୍ରତେ ସ୍ୱପନେ କରମ ଧ୍ୟାନେ

ଶୁଣେ କି ତା’ ସ୍ୱର ବାଜୁଛି କାନେ,

ନୀର ଝରେ ଝରେ

ପତର ମର୍ମ୍ମରେ

ଚମକି ଉଠେ ମୋ’ ପ୍ରାଣ ।

 

(୬୧)

ଲଳନା ଲଲାମ ଲତା ଲାଜକୁଳୀ

ତୁଳନା ତୋହର ନାହିଁ,

ଭାଗ୍ୟଧାରା ଧରାଶିରୀ ସାର ସ୍ନେହୀ,

ସାରସ ରୁଚିରା କାହିଁ ।

ଯା’ ପ୍ରୀତି-ତୃଷିତ ସାରା ଚରାଚର

ତୁ ପୁଣି ତାହାର ମଣି ଲୋଚନର,

ନାମେ ଝୁରେ ତୋର ତା’ ମଧୁ ମୁରଲୀ

ତାର, ଦିନ ଯାଏ ମୁଖେ ଚାହିଁ

ଯା’ ରୂପ ମୋହନ ବିଶ୍ୱ-ବିମୋହନ

ଯା’ ଚରଣରେଣୁ ନିଖିଳ ବନ୍ଧନ

ତୁ ତା’ ପ୍ରାଣକାନ୍ତା କପୂର ଚନ୍ଦନ

ତୋର, ହୃଦେ ବନ୍ଦୀ ପ୍ରାଣସାଇଁ ।

ଜଗଜ୍ଜନ, ମନୋରଞ୍ଜନ ଯା’ ନାମ

ସେ ତୋ’ ପ୍ରାଣାରାମ ପ୍ରେମାକୁଳ ଶ୍ୟାମ,

ଅମରବାଞ୍ଛିତ ପଦ ତୋ’ର ସମ୍ପଦ,

ସେ ପିପାସୀ ତୋହ ପାଇଁ ।

 

(୬୨)

ଗଗନ ଅବା ସୁଦୀନ ଥିଲା

ଲଭିଲା ନୀଳିମା କାନ୍ତି,

ତପନ ଥିଲା କି ମୃଣ୍ମୟ ଖଣ୍ଡ

ଉଜ୍ଜ୍ୱଳିଲା ଦିବ୍ୟ ଭାତି ।

ଏଣିକି ଆସିଲା ଦିବସେ ଶୁଭ୍ରତା,

ରଜନୀ ଲଭିଲା ନୀରବ ଶାନ୍ତି,

ହିମାନୀ ଶୋଭିଲା ଧବଳତା ଗୁଣେ,

ଅନଳ ଉଠିଲା ତାତି ।

ବସନ୍ତର କୋଳେ ଫୁଲଭୂଷା ଅବା

ଉଷା କୋଳେ ନବ ରବି,

ଶରତ ରାତିର ଶେଫାଳୀ ସୌରଭ

ନଭେ ଛାୟାପଥ ଛବି ।

 

(୬୩)

ଛନ୍ଦ ସେ ପାରେ ଜାଗିଛି ଆଜି କବିତା

ମୋର କବିତା,

ଗାଇଯାଅ ପ୍ରାଣେ ସେ ନବ ଗୀତି ହେ ସୁନ୍ଦରି

ମୋର ଚିତ୍ତ-ସବିତା !

ତାନେ ତାନେ ଉଛୁଳୁ ସୁଧା,

ତାନେ ତାନେ ମୋହୁ ବସୁଧା,

ମୋହୁ ନିଖିଳ ସୃଷ୍ଟି

ସୃଷ୍ଟିର ସାର ସୁନ୍ଦରି ରେ !

ଢାଳ ତବ ଅମିୟ ଦୃଷ୍ଟି

ବାଇଯାଅ ମଧୁର ତୋ ବୀଣା,

ନିମିଷେ ବିଶ୍ୱ ହେଉଟି କିଣା,

ଭାଙ୍ଗୁ ଜଡ଼ତାର ମୋହ ମୋର

ନିଦ୍ରା ବେନି ନୟନର,

ନବ ଛନ୍ଦର ନବ ଆନନ୍ଦେ

ପ୍ରାଣବନ୍ଧୁର ପ୍ରେମସମ୍ପଦେ

ପୂର୍ଣ୍ଣ ହେଉ ମୋ’ ହୃଦୟ-ନିଳୟ,

ହେରେଁ ତୋ ଶିରୀ ସଂସାରମୟ !

 

(୬୪)

ହେ ସୁନ୍ଦର !

ସୁନ୍ଦରେ ସେ ନିବେଦିବ

କୁତ୍ସିତ କିପରି କ୍ଷୁଦ୍ର ହାରପ୍ରଣୟର ?

ଦୀପ୍ତ ଶଶଧର !

ଏ ଜହ୍ନିଫୁଲ ଲଭିବ କି ତବ ପ୍ରେମାଦର ?

ଆଗୋ ! ଫୁଟେ କେତେ ମଞ୍ଜୁଳା ମାଳତୀ,

କେତେ ଯୂଥିକା ମଞ୍ଜରୀ,

କେତେ କୁମୁଦ କାମିନୀ;

ତବ ଆଶେ ପ୍ରିୟ, ହେ ପ୍ରାଣ-ଅମିୟ,

ସାନ ଏ ତ ଜହ୍ନିଫୁଲ, ଫୁଲରେ ନଗଣ୍ୟ

ହେ ବରେଣ୍ୟ !

ଫୁଟେ ଏ ଅନନ୍ତ ପ୍ରେମ ଦିବା ଅବସାନେ

ଶ୍ରୀଚରଣ ତଳେ ହେ ମୋହନ !

ଧ୍ୱାନ୍ତ-ବିନାଶନ ସଖା ନୀଳ ଅମ୍ୱରର

ହେ ସୁଧା-ଆକାର !

 

(୬୫)

ଧୀରେ ବହେ ଗନ୍ଧବହ ମୃଦୁଳେ ଦୋଳାଇ

ପୁଷ୍ପିତା ଲତିକା ଅଙ୍ଗ ତରଙ୍ଗ-ବିଭଙ୍ଗେ,

ସରମରେ ମରମରି ପତ୍ର ଅନ୍ତରାଳେ,

ବାଜିଉଠେ ଫୁଲ ପ୍ରାଣେ ମଧୁର ମୁରଲୀ

ମଳୟ ପରଶ ଭୋଳେ ବଂଶ ନିକୁଞ୍ଜରେ ।

ଯେବେ ସନ୍ଧ୍ୟାକାଳେ ବିହଙ୍ଗମେ

ବିବିଧ ପ୍ରସୂନ ପ୍ରାୟ ଦୋଳି ଚଳନ୍ତି କୁଲାୟେ,

ଅମୃତ ସଙ୍ଗୀତେ ମୋହି ନିଖିଳ ମେଦିନୀ

ବାଜିଉଠେ ଆରତିର ଘଣ୍ଟା ଦେବାଳୟେ

ମଙ୍ଗଳେ ମଧୁରେ,

ଯେବେ, ବିଦାୟ ଲୋଡ଼ଇ ଅଳ ଶେଷ ଗୁଞ୍ଜରଣେ

ନିଃଶେଷି ଚୁମ୍ୱନାଶ୍ଲେଷ ମଲ୍ଲିକାର କୁଞ୍ଜେ,

ଏକାଳେ ଦରିଦ୍ରା ସେହି କ୍ଷୁଦ୍ର ଜହ୍ନିଫୁଲ

ଜାଗିଉଠେ ନବ ପ୍ରାଣେ ।

ତୁମରି ନୟନ-ବରଷି ପୀୟୁଷ ଆଶେ

ସଜାଏ ଶରୀର ତା’ର ପତ୍ର ଓଢ଼ଣାରେ,

କ୍ଷୁଦ୍ର ତା’ ଅଧରେ କମ୍ପିଉଠେ ଜୀବନତରଙ୍ଗ,

ବକ୍ଷେ ତାର ବହିଯାଏ ଆକୁଳ ବାସନା ଯୌବନର

ପରଶେ ପ୍ରଦୋଷ ପ୍ରିୟ ତିମିର ମୋହିନୀ ।

ପ୍ରଣୟର ସେ କି ଗାଢ଼ ଅଭିବ୍ୟକ୍ତି,

ସେ କି ସୃଷ୍ଟି ଆଦିକାଳୁଁ ପ୍ରକୃତି ପ୍ରାଣର

ଭାଷାହୀନ ନୀରବ ବେଦନା !

 

(୬୬)

କିପରି ସେ ସମ୍ୱୋଧନ କରିବ ହେ

ତା’ ହୃଦୟ-ଧନେ,

କେଉଁ ନାମେ ହେ ଶଶାଙ୍କ, ହେ ଚନ୍ଦ୍ରମା ?

ଅଛି ତବ ଶତ ପ୍ରିୟ ବସ୍ତୁ;

କିନ୍ତୁ ତୁମେ ଏକା ତାର ଏ ଜୀବନେ ପ୍ରିୟ

ଜୀବନ ଉଦ୍ଦେଶ୍ୟ !

ତାର ପ୍ରଫୁଲ୍ଲତା ଆଗୋ,

ତାର ଶୋଭାରାଶି !

ହେଉ ତବ ନେତ୍ରନିଧି, ନିତି ତା’ ବାସନ;

ତୁମରି ତର୍ପଣ ଲାଗି ବହେ ତାର

ହୃଦୟେ ଶୋଣିତ ।

ପ୍ରିୟ ବୋଲି ଡାକିବାରେ ଥିଲେ ହେଁ କାମନା

କହିବ ନାହିଁ ତା ମୁଖେ କ୍ଷୁଦ୍ର ଜହ୍ନିଫୁଲ ।

ଜାଣେ ନାହିଁ ଭାଷା ପରିପାଟୀ ପ୍ରଣୟର,

ଜାଣେ ନାହିଁ ମଧୁର କବିତା,

ଛନ୍ଦିବ ସେ ସ୍ୱପ୍ନାଳସୀ ଛନ୍ଦେ ।

ଜାଣେ ନାହିଁ କରିବ କିପରି

ବନ୍ଦୀ ହୃଦ-କାରାଗାରେ,

ରଖିବ କିପରି ପ୍ରିୟତମେ ତାର କଠିନ ନିଗଡ଼େ

ଭୁଲାଇ ସ୍ୱରୂପେ ।

 

(୬୭)

ନୁହେ ସେ କେତକୀ କାନ୍ତା ଚମ୍ପା ଚହଟିନୀ,

କୁନ୍ଦ କରବୀର ଶିରୀ, ମୃଦୁଳା ମାଧବୀ;

ଧର ହେ ଧର ହେ ବକ୍ଷେ ପ୍ରିୟ

ଯଦି ଆକାଙ୍‌କ୍ଷା ଦୁର୍ବାର,

ଅବା ଦଳ ଅବହେଳେ ପଦତଳେ ।

ଏତିକି ସେ ଶୁଦ୍ଧ ତବ ପ୍ରେମ ସୁନିର୍ମ୍ମଳ,

ତବ ଶ୍ରୀଚରଣ ତାର

ଜୀବନ ସମ୍ୱଳ ।

 

(୬୮)

ଦିଅ ଦିଅ ଚରଣେ ସ୍ଥାନ ଜହ୍ନିଫୁଲଟିକି,

ଜହ୍ନେ ଜ୍ଞାନ, ଜହ୍ନେ ଧ୍ୟାନ

ଜହ୍ନେ ଜୀବନ ଦେଇଛି ବିକି ।

କୌମୁଦୀ ବିନା ଫୁଟିବ କୁମୁଦ,

ଚାନ୍ଦିନୀ ବିନା ହସିବ କୁନ୍ଦ,

ସୁରଭି ଶେଫାଳୀ      ରଜନୀଗନ୍ଧା,

ସେତ ପ୍ରେମେ ବଳେ ନିଶାରାଣୀକି ।

ଜହ୍ନ ନାମ ବହେ ଅଙ୍ଗେ,

ଜହ୍ନ ମିଶିଛି ତା ପରାଣ ସଙ୍ଗେ,

ମରମେ ମରମେ ପ୍ରେମତରଙ୍ଗ

ରଙ୍ଗାଏ କନକ କାନ୍ତିକ ।

 

(୬୯)

ମୋ’ ମାନସ ତିଳୋତ୍ତମା,

ଜନମେ ଜନମେ ଖୋଜି ବୁଲୁଥିଲି

ଏଇ ମମ ପ୍ରାଣରମା ।

ମୁଁ ଶ୍ୟାମଘାସ ସେ ସୁଷମାଫୁଲ,

ରୌଦ୍ର ଦହନେ ଛାୟା ଅତୁଲ,

ମୃତ ଜୀବନ ମୋ ସଞ୍ଜୀବନୀ ଧାରା

ପରାଣର ପ୍ରିୟତମା

କୋଟି ଯୁଗ ଅବା ଅନାଇଥିଲି ମୁଁ

ତିଳେ ଦରଶନ ଆଶେ,

ପ୍ରତି ଅଙ୍ଗେ ମୋର ଧନ୍ୟ ହୋଇଲା

ଅଧର ମଧୁର ହାସେ ।

ଅନ୍ତରେ ମୋର ରଚିଥିଲି ଏକ

ମାୟାର ମୋହନ କୁଞ୍ଜ,

ଗାଇଥିଲା ପିକ ତହିଁ ତରୁଡ଼ାଳେ,

ଫୁଟିଥିଲା ପୁଲପୁଞ୍ଜ ।

ସଞ୍ଜ ଗୋଧୂଳି ଲୋଟିଥିଲା ତାର

ଗଗନେ ଚୂର୍ଣ୍ଣ ମେଘେ,

ସ୍ୱଚ୍ଛଝରଣା ବହିଥିଲା ତାର

ଶିଳା ଦେହେ ପ୍ରେମାବେଗେ ।

ବାକିଥିଲା ଖାଲି ପ୍ରେମର ପ୍ରତିମା

ମନୋରାଇଜର ରାଣୀ,

ବାକି ଥିଲା ଖାଲି ଗଜଗାମିନୀର

କଳିତ ଲଳିତ ଠାଣି ।

ବାକି ଥିଲା ଖାଲି ହୃଦୟ-ମନ୍ଦିରେ

ଦେବତାର ପ୍ରେମାସନ,

ଜାଗର ଜାଳି ମୁଁ ବସିଥିଲି ନିତି

ଧ୍ୟାୟି ଶ୍ରୀରୂପ-ରତନ ।

ପଛପଟେ ଆସି ଠିଆ ହେଲା କିଏ,

ମୁଦିଲା ନୟନ କରେ,

ଥରି ଉଠିଲା କି ମରମେ ବାସନା

ରୋମାଞ୍ଚିତ ପୁଲକରେ !

ହୃଦ-ସିନ୍ଧୁତୀରେ ଅନୁରାଗ ବୀଚି

ନାଚି ନାଚି ଗଲା ବହି,

ନୟନେ ମିଶିଲା ନୟନ, ପରାଣେ

କାମନା ଦେଲା କି ଦହି !

ଆତ୍ମା ଚିହ୍ନିଲା ଆତ୍ମାର ସାଥି

ନ ଫୁଟିଲା ମୁଖେ କଥା,

ସରିତ ଚିହ୍ନିଲା ସାଗର ତରଙ୍ଗ,

ପାଦପ ଚିହ୍ନିଲା ଲତା !

ଦୀପ ଆଲିଙ୍ଗିଲା ଅନଳ ଶିଖାଟି,

ହେମ ଆଦରିଲା ହୀରା,

ରକ୍ତେ ଛୁଟିଲା ଉଷ୍ଣ ଆନନ୍ଦ

ଚମକାଇ ଶିରା ଶିରା !

ଲାବଣ୍ୟ-ସିନ୍ଧୁ ଉର୍ମି ଚୁମ୍ୱିଲା

ଇନ୍ଦୁର ସୁଧା-ଅଧର !

ବିଶ୍ୱେ ବାଜିଲା ବଂଶୀସ୍ୱରେ

ମର୍ମ୍ମର ଗୀତ ଲହର !

 

(୭୦)

ଆଜି ମୋ’ ହୃଦୟେ ତବ ଆସନ ହେ ସୁନ୍ଦର !

ବିକଶିତ ହୃଦ-କୁମୁଦ, ଉଲ୍ଲସିତ ଅନ୍ତର !

ଆଲୋକ-ଉତ୍ସ ଆଖିରେ ଫୁଟେ,

ପୁଲକ-ତରଙ୍ଗ ଅଙ୍ଗେ ଛୁଟେ,

ବିଶ୍ୱେ ବହେ ଆନନ୍ଦ-ଧାରା ଶତ ସରିତ ନିର୍ଝର !

କୁସୁମେ କୁସୁମେ ନବ ଛବି,

ନବ କିରଣେ ଦୀପ୍ତ ରବି,

ଜଳେ ନୀଳାକାଶେ ମଙ୍ଗଳ-ଦୀପ

ଶଶୀତାରା ଦଳେ ଭାସ୍ୱର !

ପ୍ରେମ-ସଙ୍ଗୀତ ଗାଏ ବିହଙ୍ଗ,

ପ୍ରେମେ ନାଚେ ସିନ୍ଧୁ-ତରଙ୍ଗ,

ଲତିକା-କୁଞ୍ଜେ ଗନ୍ଧ ମଳୟ ସଜେ ମନ୍ଦ ମର୍ମ୍ମର ।

 

(୭୧)

ଏଇ ଥିଲା ମୋର ମର୍ମ୍ମେ ବାସନା,

ଏଇ ଥିଲା ମୋର ଆଶା,

ଫିଟିଯିବ ମମ ଅବଶ ରସନା,

ବେଦନା ଲଭିବ ଭାଷା ।

ନିଶାର ନୀହାର ରବି କିରଣରେ

ଲଭିବ ମୁକୁତା-ଦ୍ୟୋତି,

ଦରଫୁଟା ପଦ୍ମ ଗୋଲାପ ଅଧରେ

ଫୁଟିବ ଜୀବନ ଜ୍ୟୋତି ।

 

(୭୨)

ଗୁପ୍ତ ଚିତ୍ତେ ମୋର ମନମୋହନ

ଲୁପ୍ତ ନିର୍ଝର ଗୋଟି,

ଦେଖିଲା କେବେ ସେ ସିନ୍ଧୁ ସପନ,

ଶିଳା ତଳେ ଗଲା ଲୋଟି;

ବାଧା ନ ମାନି ସେ ଧାଇଁଲା,

ଫେରି ପଛକୁ ନ ଚାହିଁଲା

ଗୁପ୍ତ ହୃଦେ ମୋର ମନମୋହନ

ସୁପ୍ତ ବାସନା-ଫୁଲ,

ଦେଖିଲା କେବେ ସେ ଇନ୍ଦୁସପନ

ଫୁଟିଲା କି ପ୍ରେମାକୁଳ,

 

ଆପେ ଦେଲା ବକ୍ଷ ପାତି,

ଅଙ୍କେ ତାହାର ଶୋଭିଲା ଆଦରେ,

ଜୋଛନାର ମଧୁଭାତି

 

(୭୩)

ତୁ କିଏସେ ମୁଁ କିଏସେ,

କିମ୍ପା ବନ୍ଧା ପରସ୍ପର ?

ତୁ କିଏସେ ମୁଁ କିଏସେ,

ସମ୍ୱନ୍ଧ ନିକଟତର ।

ତୁ କିଏସେ ମୁଁ କିଏସେ,

ସ୍ଥାପିଲା ଆମରି ତୁଲେ,

ଏ ପ୍ରେମ ଅପୂର୍ବ ପ୍ରେମ,

ସେ କେଉଁ ଶକତି ଭୁଲେ ।

ତୁ କିଏସେ ମୁଁ କିଏସେ,

ଜାଣିନାହୁଁ ସତ, ବନ୍ଧୁ,

ତଥାପି ହେ ପରସ୍ପର

ଯୁକ୍ତ ଯଥା ନଦୀ-ସିନ୍ଧୁ !

ତୁ କିଏସେ ମୁଁ କିଏସେ,

ତୁ ମୋହର ମୁଁ ତୋହର,

ଏହି ଜ୍ଞାନେ ଶାନ୍ତି ଲଭି

ଯୁକ୍ତ ପ୍ରାଣ ପରସ୍ପର ।

 

(୭୪)

ଆଜି ପ୍ରେମ-ରାଇଜର ରାଜା ପାଶେ

ପ୍ରେମ-ରାଇଜର ରାଣୀ,

ନିଖିଳ ବିଶ୍ୱ ଉଚ୍ଚାର ଆଜି

ମିଳନ ମଙ୍ଗଳ ବାଣୀ ।

ବରଷ କଲ୍ୟାଣରାଶି,

ଯାଅ ହେ ଆଶିଷ ଭାଷି,

ପିଅ ପ୍ରେମାମୃତ, ପ୍ରାଣ ହର୍ଷେ ଗାଅ

ପ୍ରେମଜୟ ସର୍ବପ୍ରାଣୀ ।

ପ୍ରେମର ଜୟ, ମରଣ ଲୟ,

ଉଠୁ ପ୍ରେମଗୀତି ବିଶ୍ୱମୟ ।

 

(୭୫)

ଯାଉ ମୋ ଜୀବନ ପ୍ରିୟ

ତୁମ୍ଭରି ଧିଆନରେ

ଆନେ ନ ଚାହେଁ ଜୀବନେ

ଜ୍ଞାନେ ବା ଅଜ୍ଞାନରେ ।

ତବ ନାମ ଗୁଣ ଗାନ ହେଉ ମୋ ସଙ୍ଖାଳି,

ତବ ନାମ ବିନା ମୁହିଁ ଦରିଦ୍ର କଙ୍ଗାଳି,

ତବ ନାମ ହୃଦହାର ନିତି ଜପାମାଳି ହେ ।

ଘେନି ନାମ ଛାପ ଭ୍ରମିବି ଜଗତେ (ମୁହିଁ),

ତରିଯିବି ଭବଧାମ

ନାମ ଭଜନରେ

ହରି ହରି କହି ମୋର ଜୀବନ ସାରିବି ହେ,

ହରି ହରି ନାମ ତୁଣ୍ଡେ ଅନ୍ତେ ମୁଁ ମରିବି ହେ;

ହରି ମୋ’ ଚିତ୍ତର ବିତ୍ତ,

ହରି ମୋ ପ୍ରାଣଦୟିତ,

ହରି ମୋ’ ପରାଣମିତ,

ସାର ମୋ’ ଜୀବନରେ ।